ଆଜି ସନ୍ଧ୍ୟାର ରଥଯାତ୍ରା ନେଇ ନିଷ୍ପତ୍ତି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ସାମିଲ ଥିବା ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ରଙ୍କ ଅନୁସାରେ ଆଜି ସନ୍ଧ୍ୟାରେ ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ସନ୍ଧ୍ୟା ଆଲୋଚନାରେ ରଥଯାତ୍ରା ହେବା ନେଇ ନିଷ୍ପତ୍ତି ନିଆଯିବ ।

ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ତଥା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବୈଠକରେ ଏଭଳି ଆଲୋଚନା ହୋଇଛି । ଭୁବନେଶ୍ୱର ସ୍ଥିତ ଓକାକ୍‌ରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନ୍ୟ ସଦସ୍ୟଙ୍କ ସହ ବୈଠକ ଚାଲିଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ଉନ୍ନୟନ କମିଶନର  ସୁରେଶ ମହାପାତ୍ର ଉପସ୍ଥିତ ଥିଲେ । ଦିନକ ପରେ ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ତିଥି। ସେହିଦିନଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହି ବୈଠକରେ  କରୋନା ସଂକଟ ମଧ୍ୟରେ ନୀତି କାନ୍ତି ନେଇ ଆଲୋଚନା ହୋଇଥିଲା  ।

ସୂଚନାଯୋଗ୍ୟଯେ ରଥଯାତ୍ରା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ଟେଲିଫୋନ୍‌ରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିସହ ରାଜ୍ୟରେ କରୋନା ସ୍ଥିତି ନେଇ ଉଭୟ ଆଲୋଚନା କରିଥିଲେ । ରଥଯାତ୍ରା ନେଇ ଗତକାଲି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ। ଗଜପତି ମହରାଜାଙ୍କୁ ମଧ୍ୟ ସାକ୍ଷାତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Leave a Reply