ବାଟବଣା ଉଜ୍ଜ୍ୱଳା ଯୋଜନା: ଘର କୋଣେ ଗଡ଼ୁଛି ଗ୍ୟାସ୍ ସିଲିଣ୍ଡର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବାଟବଣା ଉଜ୍ଜ୍ବଳା ଯୋଜନା । ଗରିବଙ୍କ ଚୁଲି ଉପରେ ଏଲପିଜି ଦରବୃଦ୍ଧିର ପ୍ରହାର । କାଠଚୁଲି ହିଁ ସାଜିଛି ଗରିବଙ୍କ ଭରସା । ମଉଳିବାରେ ଲାଗିଛି ଗ୍ୟାସରେ ରୋଷେଇ କରିବାର ସ୍ବପ୍ନ ।

ଫେଲ୍ ମାରିଛି ଉଜ୍ଜ୍ବଳା ଯୋଜନା । ଗଜପତି ଜିଲ୍ଲାର ଘରେ ଗଡ଼ୁଛି ଗ୍ୟାସ ସିଲିଣ୍ଡର । ଏଲପିଜିର ଅହେତୁକ ଦର ବୃଦ୍ଧି ଗରିବଙ୍କୁ କରିଛି ହତାସ । ବ୍ୟାନର, ପୋଷ୍ଟରରେ ସଫଳତାର କାହାଣୀ ବଖାଣୁଥିବା କେନ୍ଦ୍ର ସରକାର ଦେଖୁନାହାନ୍ତି ଯୋଜନାର ବାସ୍ତବ ଚିତ୍ର । ଦେଖନ୍ତୁ ଏହି ଦୃଶ୍ୟ । ହାଣ୍ଡିଶାଳରେ ଅଛି ଗ୍ୟାସ ଟାଙ୍କି ଓ ଚୁଲା । ରୋଷେଇ ଚାଲିଛି ଚୁଲିରେ । ଗ୍ୟାସ ଦର ବୃଦ୍ଧି ଗରିବ ମୁଣ୍ଡରେ ପଡ଼ିଛି ଚଡ଼କ । ସିଲିଣ୍ଡର ଭର୍ତ୍ତି କରିବାକୁ ସମ୍ବଳ ନଥିବାରୁ ବାଧ୍ୟ ହୋଇ କାଠ ଧୂଆଁରେ ସିଝୁଛନ୍ତି ମହିଳା ।

ବାରମ୍ବାର ବଢ଼ିଚାଲିଛି ଗ୍ୟାସଦର । ମଉଳିବାରେ ଲାଗିଛି ଗ୍ୟାସରେ ରୋଷେଇ କରିବାର ସ୍ବପ୍ନ । ଦରବୃଦ୍ଧି ଯୋଗୁ ଲୋକେ କାଠଚୁଲିକୁ ଆଦରିଛନ୍ତି ବୋଲି କହିଛନ୍ତି ସ୍ଥାନୀୟଏଜେନ୍ସି ମ୍ୟାନେଜର । ଆଗକୁ ଏଭଳି ଦର ବଢିଲେ ଜନ ଆନ୍ଦୋଳ ହେବ ବୋଲି ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବୀ ।

ଏଥିସହିତ ପଢ଼ନ୍ତୁ: ପରିଣତ ବୟସରେ ବି ଚାଲିଛି ସମାଜସେବା