ଜିଲ୍ଲା ନ୍ୟାୟଧୀଶଙ୍କୁ ଗୁହାରୀ ପରେ ଗିରଫ ହେଲା ଅଭିଯୁକ୍ତ

ଗଜପତି : ପ୍ରଥମେ ନାବାଳିକାକୁ ଅପହରଣ। ପରେ ଏକାଧିକ ଥର ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ। ଅବୈଧ ଭାବେ ନାବାଳିକାକୁ ବାଲ୍ଯବିବାହ। ଏତିକିରେ ସରିଲାନି ଅଭିଯୁକ୍ତର କଳାକାରନାମା। ୩ ମାସର ଗର୍ଭବତୀ ଥିବା ନାବାଳିକାକୁ ମରଣାନ୍ତକ ଆକ୍ରମଣ କରି ଗର୍ଭ ନଷ୍ଟ କଲା ସୈତାନ। ପୋଲିସରେ ଅଭିଯୋଗ ପରେ କିଛି କାର୍ଯ୍ଯାନୁଷ୍ଠାନ ନ ହେବାରୁ ଜିଲ୍ଲା ନ୍ଯାୟଧୀଶଙ୍କୁ ଗୁହାରୀ ପରେ ଗିରଫ ହୋଇଛି ଅଭିଯୁକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ । ବିବାହ ପରେ ଅଭିଯୁକ୍ତ ନାବାଳିକାଙ୍କୁ ନିର୍ଯାତନା ଦେଇଆସୁଥିଲା। ଏପରିକି ଅଭିଯୁକ୍ତ ଯୁବକ ଓ ତା ଭାଇର ଆକ୍ରମଣରେ ନାବାଳିକାଙ୍କ ମା’ ଲହୁଲୁହାଣ ହୋଇଥିଲେ । କାଶୀନଗର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଜଣାଇବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନାବାଳିକା । ଅଦାଲତଙ୍କ ହସ୍ତକ୍ଷେପ ପରେ କାଶୀନଗର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଘରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୀଡ଼ିତାଙ୍କ ବାପା ଓ ମା’ ଦାଦନ ଖଟିବାକୁ ଦିଲ୍ଲୀ ଯାଇଥିଲେ। ନାବାଳିକା ଜଣକ ଆଈ ଘରେ ରହି ଯୁକ୍ତ ୨ ପାଠ ପଢ଼ୁଥିଲେ। ଅଭିଯୁକ୍ତ ଯୁବକ ଜଣକ ପାଖ ସୀତାପୁର ଗାଁର । ୨୦୨୪ ମସିହା ଏପ୍ରିଲ ମାସରେ ଘରେ ପଶି ନାବାଳିକାଙ୍କୁ ଅଭିଯୁକ୍ତ ଅପହରଣ କଲା । ଝିଅର ଅପହରଣ ହୋଇଥିବା ଜାଣିବା ପରେ ଦିଲ୍ଲୀରୁ ଗାଁକୁ ଫେରି ଝିଅକୁ ଖୋଜିଖୋଜି କରିଥଲେ ବାପା ମା’ । ମା ଓ ବାପା ତାଙ୍କ ଝିଅକୁ ଖୋଜାଖୋଜି କରୁଥିବା ଜାଣି ନାବାଳିକାକୁ ଜୀବନରେ ମାରିଦେବାକୁ ଫୋନରେ ଧମକ ଦେଇଥିଲା ଅଭିଯୁକ୍ତ। ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ନିଜ ଘରକୁ ନେଇ ଆସିଥିଲା ଅଭିଯୁକ୍ତ । ସାଂଘାତିକ କଥା ହେଉଛି ଝିଅ ନାବାଳିକା ଥିବା ଜାଣି ଅଭିଯୁକ୍ତର ପିତା ମାତା ବିବାହ କରିବାକୁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇଥିଲେ। ଶେଷରେ ଗ୍ରାମବାସୀଙ୍କୁ ମନାଇ ଝିଅକୁ ମନ୍ଦିରରେ ବିବାହ କରିଥିଲା ଦୁଷ୍କର୍ମକାରୀ ଯୁବକ ।

ବିଗିଡ଼ିଲାଣି ରାଜ୍ଯର ଆଇନଶୃଙ୍ଖଳା। ଫି ଦିନ ନାବାଳିକା ଦୁଷ୍କର୍ମ ଘଟଣା ସାମନାକୁ ଆସୁଛି। ବାଲ୍ଯ ବିବାହ ଓ ନାବାଳିକା ଦୁଷ୍କର୍ମ ହେବା ପରେ ବି ପୋଲିସ କାର୍ଯ୍ଯାନୁଷ୍ଠାନ ନେଉନି।  ଦୁଷ୍କର୍ମ ଓ ଅତ୍ଯାଚାରର ଶିକାର ଗରିବ ପରିବାର ନ୍ଯାୟ ପାଇଁ ଯିବେ ତ କାହା ପାଖକୁ ? ଏତେଦିନ ଯାଏ ଅଭିଯୁକ୍ତ ନାବାଳିକା ଉପରେ ଅତ୍ଯାଚାର କରିଚାଲିଲା ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ କରୁଥିଲା କଣ ? ଗର୍ଭବତୀ ନାବାଳିକାକୁ ଚିକିତ୍ସା କରୁଥିବା ଡାକ୍ତର କିପରି ପୋଲିସକୁ ଖବର ଦେଲେ ନାହିଁ? ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ଏବେ ସାଧାରଣରେ ଦାବି ଉଠିଛି।