ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନର ଅକ୍ଷମତା ପ୍ରକାଶ ପରେ କ୍ଷୁବ୍ଧ ଗଜପତି ମହାରାଜ

ନନ୍ଦିଘୋଷ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି କ୍ଷୁବ୍ଧ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ । ଦେଶ ଓ ବିଦେଶରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ନିର୍ଦ୍ଧାରିତ ତିଥିରେ କରିଥିବା ଅପିଲର ଉତ୍ତର ଦେଇଛନ୍ତି ମାୟାପୁର ସ୍ଥିତ ଇସ୍କନ ପରିଚାଳନା କମିଟିର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ । ଗତ ଅକ୍ଟୋବର ୧୯ ତାରିଖରେ ପୁରୀ ଗଜପତିଙ୍କୁ ଏକ ଚିଠିରେ ଇସ୍କନ ପରିଚାଳନା କମିଟି ଅଧ୍ୟକ୍ଷ ସ୍ନାନଯାତ୍ରାକୁ ନିର୍ଦ୍ଧାରିତ ତିଥି ଅର୍ଥାତ ଜ୍ୟେଷ୍ଠ ପୂର୍ଣ୍ଣିମାରେ କରିବାକୁ ସହମତି ହୋଇଛି । କିନ୍ତୁ ବିଦେଶରେ ରଥଯାତ୍ରାକୁ ନିର୍ଦ୍ଧାରିତ ତିଥି ଅର୍ଥାତ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟ ତିଥି କିମ୍ବା ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ନିର୍ଦ୍ଧାରିତ ନଅ ଦିନ ମଧ୍ୟରେ କରିବାକୁ ଗଜପତି କରିଥିବା ଅପିଲକୁ ଇସ୍କନ କର୍ତ୍ତୃପକ୍ଷ ପାଳନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ଇସ୍କନ କର୍ତ୍ତୃପକ୍ଷଙ୍କ ଏହି ଚିଠିର ପ୍ରତି ଉତ୍ତର ଦେଇଛନ୍ତି ଗଜପତି ।
ବିଦେଶରେ କେବଳ ସପ୍ତାହର ଶେଷ ଦିନରେ ରଥଯାତ୍ରା କରାଯାଇପାରିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । କିନ୍ତୁ ଆଷାଢ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ନଅ ଦିନ ମଧ୍ୟରେ ପଡୁଥିବା ସପ୍ତାହନ୍ତରେ ବିଦେଶରେ ରଥଯାତ୍ରା କରିବାକୁ ଗଜପତି ମହାରାଜ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ନଅ ଦିନ ବାହାରେ ରଥଯାତ୍ରା କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି ଗଜପତି କହିଛନ୍ତି । ବିଦେଶରେ ଲୋକଙ୍କ ଉପସ୍ଥିତି, ପ୍ରଶାସନିକ ଅନୁମତି, ସେଠାକାର ପରମ୍ପରାକୁ ଦୃଷ୍ଟିରେ ରଖି ସପ୍ତାହନ୍ତରେ ରଥଯାତ୍ରା କରାଯାଉ । କିନ୍ତୁ କୌଣସି ପରିସ୍ଥିତିରେ ନିର୍ଦ୍ଧାରିତ ନଅ ଦିନର ତିଥିକୁ ପରିବର୍ତ୍ତନ କରାଯିବା ଉଚିତ ନୁହେଁ । କୃଷ୍ଣ ଚେତନା କିମ୍ବା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଇସ୍କନର ଏକମାତ୍ର କାର୍ଯ୍ୟକ୍ରମ ନୁହେଁ । ହରିନାମ ସଂକିର୍ତ୍ତନ, ପ୍ରବଚନ, ବିଭିନ୍ନ ଧାର୍ମିକ ପୁସ୍ତକ ବଣ୍ଟନ ଭଳି କାର୍ଯ୍ୟକ୍ରମ ବର୍ଷତମାମ ଜାରି ରହିଛି । କିନ୍ତୁ ଏହି କାର୍ଯ୍ୟକ୍ରମ ମଧ୍ୟରେ ରଥଯାତ୍ରାର ପରମ୍ପରା ଓ ପବିତ୍ରତାକୁ ନଷ୍ଟ କରାଯାଇପାରିବ ନାହିଁ ବୋଲି ଗଜପତି କହିଛନ୍ତି ।
ସେହିଭଳି ବିଭିନ୍ନ ଇସ୍କନ ମନ୍ଦିରରେ ପ୍ରତିଷ୍ଠା ପାଇଥିବା ଉତ୍ସବ ବିଗ୍ରହକୁ ନେଇ ଯାତ୍ରା କରି ତାହାକୁ ରଥଯାତ୍ରାର ନାମ ଦେଇ ଭକ୍ତ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ନକରିବାକୁ ଗଜପତି ଅପିଲ କରିଛନ୍ତି । ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗତ ସେପ୍ଟେମ୍ବର ୬ ତାରିଖରେ ଇସ୍କନକୁ ଲେଖାଯାଇଥିବା ଚିଠିରେ ସବୁ କିଛି ସ୍ପଷ୍ଟ କରାଯାଇଥିଲା । ଏପରିକି ଶ୍ରୀମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ଦାରୁ ବିଗ୍ରହ ହେଉଛନ୍ତି ମୂଳ ବିଗ୍ରହ । ମୂଳ ବିଗ୍ରହକୁ ଶ୍ରୀମନ୍ଦିର ଗର୍ଭଗୃହରୁ କେବେ ସ୍ଥାନାନ୍ତର କରାଯାଏ ନାହିଁ । କେବଳ ମହାପ୍ରଭୁଙ୍କ ନିର୍ଦ୍ଧେଶରେ ବର୍ଷକୁ ଦୁଇଟି ପବିତ୍ର ତିଥିରେ ହିଁ ମୂଳ ବିଗ୍ରହଙ୍କୁ ଗର୍ଭଗୃହରୁ ବାହାରକୁ ଅଣାଯାଇଥାଏ । ତେଣୁ ନିର୍ଦ୍ଧାରିତ ତିଥିକୁ ବାଦ ଦେଇ ଅନ୍ୟ ଦିନରେ ମୂଳ ବିଗ୍ରହକୁ ସେମାନଙ୍କ ଆଶନରୁ ସ୍ଥାନାନ୍ତର କରାଯିବା ଉଚିତ ନୁହେଁ ।
ସେହିଭଳି ମହାଶିବରାତ୍ରୀ, ଜନ୍ମାଷ୍ଟମୀ, ରାମନବମୀ, ଗଣେଶ ଚତୁର୍ଥୀ, ହୋଲି, ଦୀପାବଳି, ଦୁର୍ଗାପୂଜା, ଦଶହରା, ବସନ୍ତ ପଞ୍ଚମୀ ଭଳି ପବିତ୍ର ପବିତ୍ର ଦିନଗୁଡିକ ସାରା ବିଶ୍ବରେ କ୍ୟାଲେଣ୍ଡର ନିର୍ଦ୍ଧାରିତ ଦିନ ବା ତିଥିରେ ଅନୁଷ୍ଠିତ ହୋଇଥାଏ । ଖ୍ରୀଷ୍ଟମାସ ହେଉ କି ବୈଶାଖୀ ନିର୍ଦ୍ଧାରିତ ଦିନରେ ହିଁ ପାଳନ ହୁଏ। କୌଣସି ସ୍ଥିତିରେ ବିଦେଶରେ ଏହିସବୁ ଦିବସ ପାଳନରେ କୌଣସି ପରିବର୍ତ୍ତନ ହେଉନାହିଁ । ତେଣୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନରେ ମଧ୍ୟ କୌଣସି ପ୍ରକାର ଯୁକ୍ତି କିମ୍ବା ଆଳର ଆବଶ୍ୟକତା ନାହିଁ ବୋଲି ଗଜପତି ସ୍ପଷ୍ଟ କରିଦେଇଛନ୍ତି ।
ସ୍କନ୍ଦ ପୂରାଣ ଅନୁଯାୟୀ ରଥଯାତ୍ରା ପାଇଁ ଦିନ ଓ ତିଥି ନିଜେ ମହାପ୍ରଭୁ ହିଁ ନିର୍ଦ୍ଧାରିତ କରିଛନ୍ତି । ଯେଭଳି ଶ୍ରୀକୃଷ୍ଣଙ୍କ ଆଦେଶକୁ ଆବମାନନା କରାଯାଇପାରିବ ନାହିଁ, ସେହିଭଳି ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବଜ୍ଞା କରାଯିବା ଉଚିତ ନୁହେଁ । ସନାତନ ବୈଦିକ ଧର୍ମର ପ୍ରଚାର ପାଇଁ ଗଠିତ ଇସ୍କନ ସନାତନ ଧର୍ମର ନୀତି ନିୟମକୁ ଅନୁପାଳନ କରିବାକୁ ବାଧ୍ୟ । ଦେଶ ଭିତରେ ଓ ବିଦେଶରେ ଇସ୍କନର ଅନ୍ୟ ସବୁ ପରମ୍ପରା ଭଳି ରଥଯାତ୍ରା ମଧ୍ୟ ନିର୍ଦ୍ଧାରିତ ତିଥିରେ ପାଳନ କରାଯିବା ଉଚିତ । କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରା ଦେଶ ବିଦେଶରେ ରହୁଥିବା ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି । ଇସ୍କନର ଏଭଳି ନୀତି ବିରୋଧୀ କାର୍ଯ୍ୟକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ନାପସନ୍ଦ କରିଛନ୍ତି । ତେଣୁ ଦେଶ ବିଦେଶରେ ରଥଯାତ୍ରା ନିର୍ଦ୍ଧାରିତ ତିଥି କିମ୍ବା ସେହି ନଅ ଦିନ ମଧ୍ୟରେ ପାଳନ କରିବାକୁ ପୁଣି ଥରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଅପିଲ କରିଛନ୍ତି ।