ସରିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା , ଆଜି ଧରାପୃଷ୍ଠରୁ ବିଦାୟନେବେ ମାଆ ଧନଦାତ୍ରୀ

ଢେଙ୍କାନାଳ : ସରିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଜି ଧରାପୃଷ୍ଠରୁ ବିଦାୟନେବେ ମାଆ ଧନଦାତ୍ରୀ । ଚଳିତ ବର୍ଷ ଢେଙ୍କାନାଳରେ ଧୂମଧାମରେ ପାଳନ କରାଯାଇଛି ଲକ୍ଷ୍ମୀ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ ।

ଆଜି ମାଆଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚଳିତଥର ଭସାଣ କାର୍ଯ୍ୟକ୍ରମରେ ୨୧ଟି ମେଢ ସାମିଲ ହେବେ । ସକାଳେ ଜିଲ୍ଲାପାଳ ପ୍ରଥମେ ଏକ ନମ୍ବର ମୀନା ବଜାରରେ ନଡିଆ ବାଡେଇ ଭସାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ରାଜ୍ୟ ତଥା ରାଜ୍ୟ ବାହାର ବହୁ ପାରମ୍ପରିକ ବାଜା ଚଳିତ ବର୍ଷ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଶୃଙ୍ଖଳିତ ଭସାଣ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।