ଋଷକୁ ଘେରିଲେ ଜି୭ ରାଷ୍ଟ୍ର, ବହୁମୂଲ୍ୟ ଦେବାକୁ ଚେତାବନୀ

1 min read

କିଭ୍‌: ଜି୭ ବୈଠକରେ ଋଷ ଉପରେ ହମ୍‌ଲା । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ୍‌ ମିସାଇଲ ଆକ୍ରମଣ ଜାରି ରଖିଥିବାବେଳେ ଋଷର ଏହି ନୀତିକୁ ବିରୋଧ କରିଛନ୍ତି ଜି୭ ରାଷ୍ଟ୍ର । ଏହି ଆକ୍ରମଣ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦାୟୀ କରାଯାଇଥିବାବେଳେ ଏଥିଲାଗି ପୁଟିନଙ୍କୁ ବହୁ ମୂଲ୍ୟ ଦେବାକୁ କହିଛନ୍ତି ରାଷ୍ଟ୍ରଗୋଷ୍ଠୀ ।

ଏହାସହ ୟୁକ୍ରେନକୁ ସାମରିକ ସହାୟତା ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଋଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ତୁରନ୍ତ ୟୁକ୍ରେନକୁ ମିସାଇଲ ଡିଫେନ୍ସ ସିଷ୍ଟମ ଦେବାଲାଗି ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଜେଲେନସ୍କି କହିଛନ୍ତି ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ନିଜ ଦେଶରେ ମିଶାଇ ସାରିଥିବାବେଳେ ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଧମକ ଦେବାରେ ଲାଗିଛି ।

ଯଦି ୟୁକ୍ରେନ ବିରୋଧରେ ପୁଟିନ ଆଣବିକ ଅସ୍ତ୍ର ପ୍ରୟୋଗ କରନ୍ତି ତେବେ ଏଥିଲାଗି ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଧମକ ଦେଇଛନ୍ତି ଜି୭ ରାଷ୍ଟ୍ର ଗୋଷ୍ଠୀ । ଗ୍ରୁପ-୭ର ସଦସ୍ୟ ରାଷ୍ଟ୍ର ଅଛନ୍ତି କାନାଡା, ଫ୍ରାନସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନଓ ଆମେରିକା । ସେପଟେ ୟୁକ୍ରେନର ଖେରସନ ଓ ଜେପୋରିଜିୟାରେ ପୁଣି ୫ ଟି ବଡ ଧରଣର ବିସ୍ଫୋରଣ ସୂଚନା ମିଳିଛି ।