ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ପ୍ରୟାସ କରୁଛନ୍ତି ସୋନିଆ ଓ ରାହୁଲ

1 min read
G23 Members Anand Sharma Manish Sonia Gandhi 10 Janpath

ନୂଆଦିଲ୍ଲୀ: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି କଂଗ୍ରେସ ନେତା । ଏଥିପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଉଭୟ ସକ୍ରିୟ ହୋଇଛନ୍ତି । ବିଗତ କିଛିଦିନ ହେଲା ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାରୁ ଅନୁମାନ କରାଯାଉଥିଲା କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଖୁବଶୀଘ୍ର ଶାନ୍ତ ପଡ଼ିଯିବେ । ସୂଚନାଯୋଗ୍ୟ ଜି-୨୩ ଗୋଷ୍ଠୀ ନିୟମିତ ଭାବେ କଂଗ୍ରେସର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଦାବି କରି ଆସୁଛନ୍ତି ।

ମିଳିଥିବା ତାଜା ସୂଚନା ଅନୁସାରେ, ଜି-୨୩ ଗୋଷ୍ଠୀର କିଛି ନେତା ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । କଂଗ୍ରେସ ନେତା ଆନନ୍ଦ ଶର୍ମା, ମନୀଷ ତିୱାରୀ ଓ ବିବେକ ତନଖା ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ୧୦ ଜନପଥରେ ପହଞ୍ଚିଛନ୍ତି । ଏମାନଙ୍କ ବ୍ୟତୀତ୍ କଂଗ୍ରସେ ନେତା ଦିଗବିଜୟ ସିଂହ ମଧ୍ୟ ସୋନିଆଙ୍କୁ ଭେଟିବାକୁ ଯାଇଥିବା ଜଣାପଡ଼ିଛି ।

G23 Members Anand Sharma Manish Sonia Gandhi 10 Janpath

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଗୁଲାମ ନବି ମଧ୍ୟ ଜି-୨୩ ଗୋଷ୍ଠୀର । ତା’ପୂର୍ବରୁ ଆଜାଦଙ୍କ ଘରେ ଜି-୨୩ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହା ପରେ କୁହାଯାଇଥିଲା ବିଜେପି ତୁଳନାରେ କଂଗ୍ରେସକୁ ମଜଭୁତ୍ କରିବା ବେଶ୍ ଜରୁରୀ ।

ବୈଠକ ପରେ ଜି-୨୩ ଗୋଷ୍ଠୀର ୧୮ ଜଣ ନେତା ଏକ ପ୍ରେସ୍ ଇସ୍ତାହାର ଜାରି କରିଥିଲେ । କହିଥିଲେ, ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଓ ନିୟମିତ ନେତା ଏବଂ କର୍ମୀ ଦଳ ଛାଡ଼ିବା ଉପରେ ଧ୍ୟାନ ଦିଆଯାଉ ନାହିଁ । ସେହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକା ଯାଇଥିଲା । ଏପରିକି ଜି-୨୩ ନେତା କହିଥିଲେ, ଯେ ପର୍ଯ୍ୟନ୍ତ ଆମକୁ ଦଳରୁ ବାହାର କରାଯାଇ ନାହିଁ ତ ଆମେ କଂଗ୍ରେସ ଛାଡ଼ିବୁ ନାହିଁ ।