ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ବିଶ୍ବ ନେତାଙ୍କ ଶ୍ରଦ୍ଧାଞ୍ଜଳି

1 min read

ନୂଆଦିଲ୍ଲୀ: ଜି-୨୦ ବୈଠକର ଆଜି ଦ୍ବିତୀୟ ଦିନ । ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ବିଶ୍ବନେତା । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ବାଂଲାଦେଶ ରାଷ୍ଟ୍ରପତି ଶେଖ ହସିନା ଏବଂ ଅନ୍ୟ ବିଶ୍ବ ନେତା ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରଖି ବିଶ୍ବନେତାଙ୍କୁ ସ୍ବାଗତ କରିଥିଲେ ।

ଗତକାଲି ଅନେକ ପ୍ରସ୍ତାବ ଉପରେ ବିଶ୍ବନେତା ନିଜର ସହମତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ଵାନ ଦିଆଯାଇଛି । ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି । କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି । ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ଅଗ୍ରହଣୀୟ ବୋଲି ମଧ୍ୟ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି । ଆଜିର ସମୟ, ଯୁଦ୍ଧର ସମୟ ନୁହେଁ ବୋଲି ଘୋଷଣାନାମାରେ ଦର୍ଶାଯାଇଛି । ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ଋଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ରଖା ନଯାଇ ଏଭଳି ସଂକଳ୍ପ ନିଆଯାଇଛି ।

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱରେ ବିଶ୍ୱାସର ଅଭାବ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ, ଉପସାଗରୀୟ ଓ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ, ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ର ଶୁଭାରମ୍ଭ ପାଇଁ ଆହ୍ଵାନ ଦିଆଯାଇଛି । ଏହା ବ୍ୟତୀତ ବୈଠକରେ ବହୁ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି ।