କଂଗ୍ରେସରେ ସରୁନି ସସପେନ୍ସ, ନୂଆଦିଲ୍ଲୀରେ ପୁଣି ଏକାଠି ହେଲେ ଗ୍ରୁପ୍-୨୩

1 min read

ନୂଆଦିଲ୍ଲୀ: କଂଗ୍ରେସରେ ସରୁନି ସସପେନ୍ସ । ନୂଆଦିଲ୍ଲୀରେ ପୁଣି ଏକାଠି ହେଲେ ଗ୍ରୁପ-୨୩ ନେତା । ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଗତକାଲି ସନ୍ଧ୍ୟାରେ ଏକାଠି ହୋଇଛନ୍ତି ଅସନ୍ତୁଷ୍ଟ ନେତା । ମାତ୍ର ୨୪ ଘଣ୍ଟାରେ ଦୁଇ ଦୁଇ ଥର ବୈଠକକୁ ନେଇ ରାଜନୀତି ସରଗରମ । ଏହି ବୈଠକରେ ଦଳର ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା, ଭୂପିନ୍ଦର ସିଂ ହୁଡ଼ା ପ୍ରମୁଖ ଯୋଗ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଭୂପିନ୍ଦର ଜି-୨୩ ବୈଠକରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଧରିଛି । ରାହୁଲ ଓ ଭୂପିନ୍ଦରଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା । କିନ୍ତୁ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି ।

ବୁଧବାର କଂଗ୍ରେସର ୧୮ ଜଣ ଅସନ୍ତୁଷ୍ଟ ନେତା ଓ କେତେକ ନୂଆ ନେତାଙ୍କ ଏକ ବୈଠକ ବସିଥିଲା । ଏସବୁକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପାଇଁ ଏକା ଗାନ୍ଧୀ ପରିବାର ଦାୟୀ ନୁହେଁ ବୋଲି ଚିଦାମ୍ବରମ କହିଛନ୍ତି । ସେପଟେ ବରିଷ୍ଠ ନେତା ତଥା G-୨୩ ଗ୍ରୁପ ସଦସ୍ୟ କପିଲ ସିବଲଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି ବରିଷ୍ଠ ନେତା ଟିଏନ୍ ସିଂ ଦେଓ । କଂଗ୍ରେସ ଓ୍ୱାର୍କିଂ କମିଟି ମିଟିଂରେ ସାମିଲ ନ ହୋଇ ସାମୂହିକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ।