କୋଣାର୍କ: କୋଣାର୍କରେ ହେବ G-20 ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଆଧାରିତ ହେବ । ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଔତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ । ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।

ଜି-୨୦ ପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରୁଛି ।