ପଞ୍ଚଭୂତରେ ବିଲୀନ ହେଲେ ‘ସ୍ୱରର ସରସ୍ୱତୀ‘, ଭାଇ ଦେଲେ ମୁଖାଗ୍ନି

1 min read
Funeral Of Singer Lata Mangeshkar Completed At Shivaji Park Mumbai

ମୁମ୍ବାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଛଳଛଳ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।

ଲତାଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ ମୁମ୍ବାଇ ପ୍ରଭୁକୁଞ୍ଜ ବାସଭବନକୁ ନିଆ ଯାଇଥିଲା । ତାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଶିବାଜୀ ପାର୍କ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ଫିଲ୍ମ କଳାକାର, କ୍ରୀଡ଼ାବିତ୍, ରାଜନେତା ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିବାଜୀ ପାର୍କରେ ଦ୍ୱିତୀୟ ବ୍ୟକ୍ତି ଭାବେ ଲତାଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହା ପୂର୍ବରୁ ଶିବାଜୀ ପାର୍କରେ କେବଳ ବାଲାସାହେବ ଠାକରେଙ୍କ ଶେଷକୃତ୍ୟ କରାଯାଇଥିଲା ।

୭ ଦଶନ୍ଧିର ଲମ୍ବା କ୍ୟାରିୟରରେ ଲତା ମଙ୍ଗେସକର ପ୍ରାୟ ୩୦ ହଜାର ଗୀତ ଗାଇଥିଲେ । ଦେଶ ସହ ବିଦେଶରେ ବି ଲତାଙ୍କ ସ୍ୱର ସମସ୍ତଙ୍କୁ ଟାଣୁଥିଲା । ପ୍ରାୟ ୩୬ଟି ଭାଷାରେ ଲତା କଣ୍ଠଦାନ କରିଥିଲେ । ଗତ ଏକ ମାସ ଧରି ଲତା ମେଡିକାଲରେ ଆଡମିଟ୍ ହୋଇଥିଲେ । ଲତାଙ୍କ ମୃତ୍ୟୁ ସହ ଦେଶବ୍ଯାପୀ ଶୋକର ଛାୟା ଖେଳି ଯାଇଛି । ବିବାହ ନକରି ଲତା ପରିବାର ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ ।

Leave a Reply