ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ; ୯୦ରୁ ଅଧିକ ଜୀବନ୍ତ ଦଗ୍ଧ

1 min read

ନୂଆଦିଲ୍ଲୀ: ଆଫ୍ରିକା ଦେଶ ସିରା ଲିଉନର ରାଜଧାନୀ  ଫ୍ରି ଟାଉନରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ସହିତ ଅନ୍ୟ ଏକ ଗାଡି ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ମିଡିଆରେ ପ୍ରସାରିତ ଫୁଟେଜରେ ବିସ୍ଫୋରଣ ସ୍ଥାନରେ କଳା ଧୂଆଁ ଓ ଲୋକଙ୍କ ଶବ ଦେଖାଯାଇଥିଲା । ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅନେକ ଟିମ୍ ମୁତୟନ କରାଯାଇଛି ।

ତେବେ ଘଟଣା ପରେ ସିରା ଲିଉନ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଦୁର୍ଘଟଣାରେ ଏତେ ଜଣ ଲୋକେ ପ୍ରାଣ ହରାଇବା ତାଙ୍କୁ ମର୍ମାହତ କରିଛି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ  ସରକାରୀ ସହାୟତା  ଯୋଗାଇ ଦିଆଯିବ ବୋଲି କହିଛନ୍ତି।  ଫ୍ରି ଟାଉନ୍ ମେୟର ୟୋଭେନେ ଆକି-ସାୟେର୍ ଘଟଣାକୁ ମର୍ମନ୍ତୁଦ କହିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ କିମ୍ବା ଆହାତଙ୍କ ସଂଖ୍ୟା ବିଷୟରେ ଆମେ ସୂଚନା ପାଇ ନାହୁଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସେ ତାଙ୍କ ଫେସବୁକରେ ପୋଷ୍ଟ କରି ୧୦୦ ରୁ ଅଧିକ ଲୋକଙ୍କ ମୃତ ହୋଇଛି ବୋଲି ଆଶଙ୍କା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଦେଶର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଅମାରା ଜମ୍ବାଇ କହିଛନ୍ତି ଯେ ରାଜଧାନୀର ଡାକ୍ତରଖାନା ଏବଂ କ୍ଲିନିକରେ ୧୦୦ରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଓ୍ବେଲିଙ୍ଗଟନ ଅଞ୍ଚଳରେ ଥିବା ବ୍ୟସ୍ତବହୁଳ ଚୋଇଥ୍ରାମ ସୁପର ମାର୍କେଟ ବାହାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ରିପୋର୍ଟରେ କୁହାଯାଇଛି କି ଏହି ବିସ୍ଫୋରଣରେ ଲୋକଙ୍କ ଭର୍ତ୍ତି ବସ୍ ପୂରା ଜଳିଯାଇଥିବା ବେଳେ ଇନ୍ଧନ ହେତୁ ନିକଟସ୍ଥ ମାର୍କେଟ ଓ ଦୋକାନ ରେ ନିଆଁ ଲାଗିଯାଇଥିଲା ।

Leave a Reply