ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ; ୯୦ରୁ ଅଧିକ ଜୀବନ୍ତ ଦଗ୍ଧ
1 min readନୂଆଦିଲ୍ଲୀ: ଆଫ୍ରିକା ଦେଶ ସିରା ଲିଉନର ରାଜଧାନୀ ଫ୍ରି ଟାଉନରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ସହିତ ଅନ୍ୟ ଏକ ଗାଡି ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ମିଡିଆରେ ପ୍ରସାରିତ ଫୁଟେଜରେ ବିସ୍ଫୋରଣ ସ୍ଥାନରେ କଳା ଧୂଆଁ ଓ ଲୋକଙ୍କ ଶବ ଦେଖାଯାଇଥିଲା । ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅନେକ ଟିମ୍ ମୁତୟନ କରାଯାଇଛି ।
Deeply disturbed by the tragic fires and the horrendous loss of life around the Wellington PMB area. My profound sympathies with families who have lost loved ones and those who have been maimed as a result. My Government will do everything to support affected families. pic.twitter.com/xJRA1UtCJJ
— President Julius Maada Bio (@PresidentBio) November 6, 2021
ତେବେ ଘଟଣା ପରେ ସିରା ଲିଉନ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଦୁର୍ଘଟଣାରେ ଏତେ ଜଣ ଲୋକେ ପ୍ରାଣ ହରାଇବା ତାଙ୍କୁ ମର୍ମାହତ କରିଛି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଫ୍ରି ଟାଉନ୍ ମେୟର ୟୋଭେନେ ଆକି-ସାୟେର୍ ଘଟଣାକୁ ମର୍ମନ୍ତୁଦ କହିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ କିମ୍ବା ଆହାତଙ୍କ ସଂଖ୍ୟା ବିଷୟରେ ଆମେ ସୂଚନା ପାଇ ନାହୁଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସେ ତାଙ୍କ ଫେସବୁକରେ ପୋଷ୍ଟ କରି ୧୦୦ ରୁ ଅଧିକ ଲୋକଙ୍କ ମୃତ ହୋଇଛି ବୋଲି ଆଶଙ୍କା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଦେଶର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଅମାରା ଜମ୍ବାଇ କହିଛନ୍ତି ଯେ ରାଜଧାନୀର ଡାକ୍ତରଖାନା ଏବଂ କ୍ଲିନିକରେ ୧୦୦ରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଓ୍ବେଲିଙ୍ଗଟନ ଅଞ୍ଚଳରେ ଥିବା ବ୍ୟସ୍ତବହୁଳ ଚୋଇଥ୍ରାମ ସୁପର ମାର୍କେଟ ବାହାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ରିପୋର୍ଟରେ କୁହାଯାଇଛି କି ଏହି ବିସ୍ଫୋରଣରେ ଲୋକଙ୍କ ଭର୍ତ୍ତି ବସ୍ ପୂରା ଜଳିଯାଇଥିବା ବେଳେ ଇନ୍ଧନ ହେତୁ ନିକଟସ୍ଥ ମାର୍କେଟ ଓ ଦୋକାନ ରେ ନିଆଁ ଲାଗିଯାଇଥିଲା ।