ଗ୍ରୀଷ୍ମ ତାତିଠୁ ବଢ଼ିଲାଣି ତେଲ ତାତି: ୧୧୦ ଟପିଲା ଦର

କୋଲକାତା: ଖାଉଟିଙ୍କ ଉପରେ ଚଡ଼କ । ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ଏବେ ୧୧୦ ଟପିଲାଣି । ୧୩ ଦିନରେ ୮ ଟଙ୍କା ବଢ଼ିଲାଣି ତେଲ ଦର । ଫଳରେ ପ୍ରତିଟି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଏନେଇ ଦେଶବାସୀଙ୍କ ମଧ୍ୟ ଅସନ୍ତୋଷର ବହ୍ମି ଜଳିଛି । ବିଭିନ୍ନ ସ୍ଥାନରେ ବିଦ୍ରୋହର ସ୍ୱର  ଉଠିଥିବା ଦେଖବାକୁ ମିଳିଛି ।

ଗ୍ରୀଷ୍ମ ତାତିଠୁ ବଳିଗଲାଣି ତେଲ ତାତି । ଅତିଷ୍ଠ ହେଲେଣି ଦେଶବାସୀ । ୧୩ ଦିନରେ ୮ ଟଙ୍କା ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ଆଜି ତେଲ ଦର ୮୦ ପଇସା ବୃଦ୍ଧି । ପେଟ୍ରୋଲ ଲିଟର ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ୬୭ ପଇସାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୪୧ ପଇସା ହୋଇଥିବା ବେଳେ, ଡିଜେଲ ଦର ୮୫ ପଇସା ବଢି ୧୦୨ଟଙ୍କା ୬୪ ପଇସାରେ ପହଞ୍ଚିଛି । ଓଡ଼ିଶାରେ ତେଲ ଦର ବୃଦ୍ଧି ନେଇ ଅସନ୍ତୋଷ ବଢୁଛି । ଭୁବନେଶ୍ୱରରେ ଆଜି ତେଲ ଦର ୮୫ ପଇସା ବଢିଛି । ଫଳରେ ପେଟ୍ରୋଲ ଦର ୧୧୦ ଟଙ୍କା ପାର କରିଛି । ସେହିଭଳି ଡିଜେଲ ଦର ୧୦୦ ଟପିଛି । ମାଲକାନଗିରିରେ ପେଟ୍ରୋଲ ଦର ୮୪ ପଇସା ବଢି ରାଜ୍ୟର ସର୍ବାଧିକ ୧୧୫ ଟଙ୍କା ୯୦ ପଇସାରେ ପହଞ୍ଚିଛି । ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୮ ପଇସା ହୋଇଛି ।

ପଶ୍ଚିମବଙ୍ଗରେ ବି ତେଲ ଦରରେ ନିଆଁ । କୋଲକାତାରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୩ ଟଙ୍କା ୩ପଇସା ହୋଇଥିବା ବେଳେ, ଡିଜେଲ ଦର ୮୦ ପଇସା ବଢି ୯୭ଟଙ୍କା ୮୨ ପଇସାରେ ପହଞ୍ଚିଛି । ଏହି ଦର ବୃଦ୍ଧି ବିରୋଧରେ ଅଭିନବ ବିକ୍ଷୋଭ କରିଛି ଟିଏମସି । ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ ଗାଡିରେ ନିଆ ଲଗାଇ ବିରୋଧ ପ୍ରଦର୍ଶନ କରିଛନ୍ତି ନେତା ଓ ଜନତା । କେବଳ ପେଟ୍ରୋଲ, ଡିଜେଲ ନୁହଁ, ରନ୍ଧନ ଗ୍ୟାସ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଵୃଦ୍ଧି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ଏକ ବିରାଟ ଜନଆନ୍ଦୋଳନର ମୁଣ୍ଡ ଟେକିବା ସମ୍ଭାବନା ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: କାଠରେ ମାଆ ତାରା ତାରିଣୀଙ୍କ ମନ୍ଦିର ନିର୍ମାଣ କଲେ ଦିଲ୍ଲୀପ