କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା, ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା । ବିଶ୍ବର ଅନ୍ୟତମ ସର୍ବବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ । ରାତାରାତି ନିଃସ୍ବ ହୋଇଗଲେ ପ୍ରତିଷ୍ଠାତା ତଥା କ୍ରିପ୍ଟୋ ଦୁନିଆର ଚର୍ଚ୍ଚିତ ବ୍ୟକ୍ତିତ୍ବ ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ । ବିଶ୍ବର ଅନ୍ୟତମ ଧନୀ ଭାବେ ଜଣାଶୁଣା ଓ୍ବାରେନ ବଫେଟଙ୍କ ସହ ତୁଳନା କରାଯାଉଥିବା ଫ୍ରାଏଡ ଏବେ ଦରିଦ୍ର ।

୨୬୦୦ କୋଟି ଡଲାର ସମ୍ପତ୍ତିର ମାଲିକ ଥିବା ୩୦ ବର୍ଷୀୟ ଫ୍ରାଏଡ୍ ପାଲିଟିଛନ୍ତି କାଙ୍ଗାଳ । ସପ୍ତାହକ ପୂର୍ବରୁ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ପ୍ରାୟ ୧୬୦୦ କୋଟି ଡଲାର । ବିଶ୍ବ ଇତିହାସରେ ଗୋଟିଏ ଦିନରେ କୌଣସି ଧନୀ ବ୍ୟକ୍ତି ଏତେ ପରିମାଣର ଧନ ହରାଇ ନଥିଲେ । ବିଟ୍କଏନ୍ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ମୂଲ୍ୟରେ ହୋଇଥିବା ବୃଦ୍ଧି ସହ ଫ୍ରାଏଡ୍ଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଥିଲା।

କ୍ରିପ୍ଟୋ ବଜାର ଦୁର୍ବଳ ହେବା ପରେ ଫ୍ରାଏଡ୍ଙ୍କ କଂପାନି ଏଫ୍ଟିଏକ୍ସର ଆୟ ସଙ୍କୁଚିତ ହୋଇଥିଲା। ସଂସ୍ଥାକୁ ରକ୍ଷା କରିବା ଲାଗି ଫ୍ରାଏଡ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ବିନାନ୍ସକୁ ବିକିବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇ ନଥିଲା । କଂପାନିର ସିଇଓ ପଦରୁ ସେ ଇସ୍ତଫା ଦେବା ପରେ ଗାଏବ ହୋଇଛନ୍ତି ।