ଆସୁଛି ସାବିତ୍ରୀ ବ୍ରତ : ଫଳ କିଣିବାକୁ ଲାଗିଲାଣି ଭିଡ଼

ନନ୍ଦିଘୋଷ ବ୍ୟୁରୋ: ସାବିତ୍ରୀ ପାଇଁ ଚଳଚଞ୍ଚଳ ଜଟଣୀ ବଜାର । ଦୋକାନୀ ବି ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ବିଭିନ୍ନ ଦେଶୀ ଫଳ ଉପଲବ୍ଧ କରିଛନ୍ତି । ଦର ଉଚ୍ଚା ରହିଲେ ବି ଲୋକଙ୍କ ଭିଡ଼ ଦେଖି ଜଟଣୀ ଫଳବଜାର ଏବେ ସରଗରମ । କାରବାର ଦେଖି ଦୋକାନୀ ବି ଖୁସ୍ ।
ଆମ୍ବ, ପଣସ, ଲିଚୁ, ତାଳ, ଡାଳିମ୍ବ, ସପୁରୀ, ଖଜୁରି । ଦେଶୀ ଫଳରେ ମହକୁଛି ପୁରା ବଜାର । ଏ ହେଉଛି ଜଟଣୀ ଫଳ ବଜାରର ଦୃଶ୍ୟ । ଆଉ ୩ ଦିନ ପରେ ସାବିତ୍ରୀ ବ୍ରତ । ହାତରେ ଅଳ୍ପ ଦିନ ଥିବାରୁ କିଏ ଝିଅ ଘରକୁ ଭାର ପଠାଉଛି ତ କିଏ ବୋହୂ ପାଇଁ ନେଉଛନ୍ତି ଶାଢ଼ି, ଶଙ୍ଖା, ସିନ୍ଦୂର ଅଳତା । ଦର ଉଚ୍ଚା ଥିଲେ ବି ଫଳସବୁ କିଣି ନେଉଛନ୍ତି ଲୋକେ । ଜଟଣୀରେ ଫଳ ବଜାରରେ ଲାଗିଛି ଲୋକଙ୍କ ଭିଡ଼ । ସହରର ବିଭିନ୍ନ ଶାଢ଼ି ଦୋକାନ ସମେତ ମନୋହରି ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ ।
ସ୍ବାମୀଙ୍କ ସୁସ୍ଥ ଓ ଦୀର୍ଘଜୀବନ କାମନା କରି ବ୍ରତ ପାଳିବେ ଓଡ଼ିଆ ସଧବା ମହିଳା । ଏଥିପାଇଁ ଚଳଚଞ୍ଚଳ ବଜାର । କିନ୍ତୁ ଏସବୁ ଭିତରେ ଫଳ ଦାମ ଆକାଶ ଛୁଆଁ ହୋଇଛି । ସାବିତ୍ରୀ ବ୍ରତକୁ ଆଖି ଆଗରେ ରଖି ଅନେକ ବେପାରୀ ଚଢ଼ା ଦରରେ ବିକ୍ରି କରୁଛନ୍ତି ଫଳ.. ।
ପ୍ରତିବର୍ଷ ସାବିତ୍ରୀ ଆସିଲେ ବଜାରରେ ଫଳ ଦାମ ନିୟନ୍ତ୍ରଣ ବାହାରକୁ ଯାଏ । ହେଲେ ନା ପ୍ରଶାସନ ଏଥିପ୍ରତି କେବେ ବି ଧ୍ୟାନ ଦିଅନ୍ତି ନାହିଁ ।