ବଢ଼ିଲା ତାପମାତ୍ରା: ଆଜିଠୁ ଆହୁରି କମିବ ଶୀତ

1 min read

ଭୁବନେଶ୍ବର: ହାଡଭଙ୍ଗା ଶୀତ ପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଛି । ଆଜିଠୁ ଶୀତ ଆହୁରି କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି ।

ଏହାସହ ପୂର୍ବାଳୀ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସକ୍ରିୟ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଘନ କୁହୁଡି ପାଇଁ ଆଜି ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର କିମ୍ବା ତା’ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।