ବାଂଲାଦେଶରେ ହିଂସାର ନୂଆ ପର୍ଯ୍ୟାୟ, ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସତର୍କତା ଅବଲମ୍ବ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ହିଂସାର ନୂଆ ପର୍ଯ୍ୟାୟ ଭିତରେ ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି । ଏହି ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ।
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ଜାରିଥିବା ହିଂସା ନୂଆ ରୂପ ନେଇଛି । ଏବେ ଦେଶରେ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କଲେଣି । ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ସମ୍ପୂର୍ଣ୍ଣ ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ ଅନିଶ୍ଚିତକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।
ହିଂସାର ନୂଆ ଲହରି ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ହିଂସା କାରଣରୁ ବାଂଲାଦେଶରେ ଅନେକଙ୍କ ଜୀବନ ଗଲାଣି । ତାଜା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୯୧ ଜଣ ଆନ୍ଦୋଳନକାରୀ ଓ ୧୩ ଜଣ ପୋଲିସ କର୍ମୀଙ୍କ ଜୀବନ ଯାଇଛି ।
ଏମରଜେନ୍ସି ନମ୍ବର ଜାରି:
ଭାରତ ସରକାରଙ୍କ ଅନୁସାରେ ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଶକ୍ତ ପରାମର୍ଶ ଜାରି କରାଯାଇଛି । ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳିନ ସହାୟତା ନମ୍ବର ଜାରି କରିଛନ୍ତି । ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591 ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ ।
ବାଂଲାଦେଶରେ ବନ୍ଦ ଇଣ୍ଟରନେଟ୍
ଗତ ମାସରୁ ବାଂଲାଦେଶରେ ସ୍ଥିତି ସାମାନ୍ୟ ନାହିଁ । ଦେଶରେ ସଂରକ୍ଷଛଣକୁ ନେଇ ହିଂସା ଜାରି ରହିଛି । ଏବେ ଏହା ପୁରା ଦେଶକୁ ବ୍ୟାପିଛି । ଆନ୍ଦୋଳନକୁ ଦବାଇବା ପାଇଁ ବାଂଲାଦେଶ ସରକାର ସୁରକ୍ଷକର୍ମୀଙ୍କୁ ନିୟୋଜି କରିଥିବା ବେଳେ ଦେଶରେ ଇଣ୍ଟରନେଟ୍ ଉପରେ ବ୍ୟାନ ଲଗାଇଛନ୍ତି। ସୋସିଆଲ ମିଡିଆରେ ଯେମିତି ଫେକ୍ ନ୍ୟୁଜ୍ ପ୍ରସାରିତ ନହୁଏ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ବାଂଲାଦେଶରେ ଏବେ ଫେସବୁକ,ହ୍ୱାଟସଆପ୍,ମେସେଂଜର ଓ ଇନଷ୍ଟାଗ୍ରାମ ବନ୍ଦ ଅଛି ।
ସ୍କୁଲ,କଲେଜ ବନ୍ଦ
ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖାଯାଇଛି । ବାଂଲାଦେଶ ସରକାର ବର୍ତ୍ତମାନ ସୁଧା ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଗିରଫ କରିଛନ୍ତି । ଏହ ସହିତ ପ୍ରଧାନମନ୍ତ୍ରୀ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ତଦନ୍ତର ଆଶ୍ୱାସନା ଦେଇଛନ୍ତି ।