ଅବହେଳିତ ଅବସ୍ଥାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ

ଅବହେଳିତ ଅବସ୍ଥାରେ ସହିଦ ମାୟାଧର ଭୂୟାଁ ସ୍ମାରକୀ ପୀଠ। ଜରାଜୀର୍ଣ୍ଣ ଅବସ୍ଥାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ। ରକ୍ଷଣାବେକ୍ଷଣ ଅଭାବରୁ ପାଲଟିଛି ଧ୍ବଂସସ୍ତୁପ। ଦେଶପାଇଁ ଜୀବନକୁ ବଳିଦାନ ଦେଇଥିବା ସହିଦ ବରପୁତ୍ରଙ୍କୁ ମିଳୁନି ସମ୍ମାନ। ଯାଜପୁର ଜିଲ୍ଲା ବରୀ କଳାମାଟିଆ ଓ ବରୀପାଳରେ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିବା ସ୍ମାରକୀ ପୀଠ ଓ ଭବନ ଆଜି ଅବହେଳିତ। ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ଗହ୍ମା ପୂର୍ଣ୍ଣିମା ଦିନ କଳାମାଟିଆ ରକ୍ତରଞ୍ଜିତ ହୋଇଥିଲା। ବରୀ ମାଟିର ୪ ଯୁବକ ଦେଶ ମାତୃକା ପାଇଁ ବ୍ରିଟିଶ୍ ଗୁଳିରେ ସହିଦ୍ ହୋଇଥିଲେ । ସେମାନେ ହେଲେ ସାଉଁଟି ମାଲିକ, ସାନନ୍ଦ ସ୍ୱାଇଁ , ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ । ଏମାନେ ନିଜ ଜୀବନକୁ ଦେଶ ମାତୃକା ପାଇଁ ସମର୍ପି ଦେଇ ବରୀ ମାଟିକୁ ସଂଗ୍ରାମୀର ସ୍ଵାଦ ଦେଇଥିଲେ।
ଏହି ବୀରପୁତ୍ରଙ୍କୁ ମନେ ପକାଇବା ପାଇଁ ପୂର୍ବ ସରକାର ବରୀପାଳଠାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ ସ୍ଥାପନ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ। ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ମୂର୍ତ୍ତି ରଖିବା ପାଇଁ ନିର୍ମିତ ହୋଇଛି ପିଣ୍ଡି। କିନ୍ତୁ ଏବେ ସେହି ପିଣ୍ଡି ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିରହିଥିବା ବେଳେ ପିଣ୍ଡି ଉପରେ ରଖାଯାଉଛି ଜୋତା । ସହିଦଙ୍କ ପ୍ରତିମୂର୍ତ୍ତି ରଖିବା ପାଇଁ ଯେଇଁ ସ୍ଥାନଟି ନିର୍ମିତ ହୋଇଥିଲା ତହା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ସେଠାରେ ଲାଗିଥିବା ଟାଇଲ ସବୁ ଭାଙ୍ଗି ଗଲାଣି । ସହିଦ ସ୍ତୁପ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ସ୍ଥାନଟି ଏବେ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି।