ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

କଟକ: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ପରଲୋକ । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ନୀଳମଣିଙ୍କ ଶେକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ।

ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ ନୀଳମଣି । ଦେଶର ସ୍ବାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ । ସ୍ବାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ । ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ନୀଳମଣି ସାମଲ ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ । ତାଙ୍କୁ ୩ ବର୍ଷ ଜେଲ ଯିବାକୁ ପଡ଼ିଥିଲା । ଦେଶ ପାଇଁ ସେ ୪ ଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳି ଯାଇଛି । ଆଜି ତାଙ୍କ ପ୍ରାର୍ଥିବ ଶରୀର କଟକ ସ୍ୱରାଜ ଆଶ୍ରମରେ ରହିବ । ଆସନ୍ତାକାଲି ପୈତୃକ ଗ୍ରାମ ବାଲିପଡ଼ିଆରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।