ଏଠି ଗ୍ରାମ ଦେବତା ଭାବେ ପୂଜା ପାଇଥାନ୍ତି ସ୍ବାଧୀନତା ସଂଗ୍ରାମୀ ମିଟୁ କୁଆଁର

ଝାରସୁଗୁଡ଼ା: ଝାରସୁଗୁଡାର ଲଜକୁରାର ସହିଦ ମିଟୁ କୁଅଁର । ବ୍ରିଟିଶ ବିରୋଧରେ ଲଢେଇ କରି ୧୮୪୫ରେ ହୋଇଥିଲେ ସହିଦ । ମିଟୁ କୁଅଁରଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଇଷ୍ଟ ଦେବ ଏବଂ ଗ୍ରାମ ଦେବତା ଭାବେ ପୂଜା କରୁଛନ୍ତି ଗାଁ ଲୋକେ । ବାର୍ଷିକ ଦୁଇଥର ଶ୍ରାବଣ ପୂର୍ଣ୍ଣିମା ଏବଂ ପୌଷ ପୂର୍ଣ୍ଣିମାରେ ଏଠାରେ ହୁଏ ବାବା ମିଟୁ କୁଅଁରଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ମିଟୁ କୁଆଁର । ଇତିହାସରେ ହଜି ଯାଉଥିବା ଜଣେ ସହିଦ । ବୀର ସୁରେନ୍ଦ୍ର ସାଏଙ୍କ ସହିତ ମିଶି ବ୍ରିଟିଶ ସାମ୍ରାଜ୍ୟକୁ ବିସ୍ତାର ହେବାରେ ପ୍ରତିବନ୍ଧକ ସାଜିଥିଲେ ମିଟୁ କୁଅଁର । ବୀର ସୁରେନ୍ଦ୍ର ସାଏ ଜେଲ ଯିବା ପରେ ଲୋକଙ୍କୁ ଏକତ୍ରିତ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ ଏବଂ ଶେଷରେ ୧୮୪୫ରେ ସହିଦ ହୋଇଥିଲେ । ନିଜ ଧନୁ ତୀର ସାହାଯ୍ୟରେ ଇଂରେଜଙ୍କ ଛାତି ଥରାଉଥିବା ମିଟୁ କୁଅଁରଙ୍କ ବଳିଦାନ ପାଇଁ ତାଙ୍କୁ ପୂଜା କରୁଛନ୍ତି ଗାଁ ଲୋକେ।

ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଆଧାରିତ ଅନେକ ଇତିହାସ ପୃଷ୍ଠାରେ ସହିଦ ମିଟୁ କୁଅଁରଙ୍କ ନାଁ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ଗାଁର ଅନେକ ଲୋକ ମିଟୁ କୁଅଁରଙ୍କୁ ଦେବତା ଭାବେ ପୂଜା କରୁଥିବା ବେଳେ ଆଜିର ଯୁବପିଢ଼ି ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଧୀରେ ଧୀରେ ଭୁଲିବାରେ ଲାଗିଛନ୍ତି । ପ୍ରଶାସନ ଦ୍ବାରା ସହିଦ ମିଟୁ କୁଅଁରଙ୍କର ସ୍ମୃତି ରକ୍ଷା କରି କୌଣସି ସ୍ମୃତି ସଦନ କିମ୍ବା ପାଠ୍ୟକ୍ରମରେ ସାମିଲ କରାଗଲେ କିମ୍ବା କୌଣସି ଛକର ନାମକରଣ ସହିଦ ମିଟୁ କୁଅଁରଙ୍କ ନାମରେ ନାମିତ କଲେ ନିଶ୍ଚିତ ଭାବେ ଏହା ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳୀ  ହୋଇପାରିବ ବୋଲି ଗାଁ ଲୋକେ କହିଛନ୍ତି ।