ନିର୍ବାଚନରେ ‘ମାଗଣା’ ଘୋଷଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନରେ ଜନତାଙ୍କୁ ମାଗଣା ସାମଗ୍ରୀ ଦେବା ନେଇ ପ୍ରତିଶ୍ରୁତି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବସାଧାରଣଙ୍କ ଅର୍ଥକୁ ବ୍ୟବହାର କରି ମାଗଣାରେ ସାମଗ୍ରୀ ଦେବାକୁ ପ୍ରତିଶ୍ରୁତି ଦେଉଥିବା ଦଳର ଚିହ୍ନକୁ ରଦ୍ଦ ଓ ଦଳକୁ ଅଣପଞ୍ଜିକୃତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି ।

ରିପୋର୍ଟ ଅନୁସାରେ, ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହାକୁ ନେଇ ଆଇନ୍ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି । ଆବେଦନର ଗମ୍ଭୀର ପ୍ରସଙ୍ଗ ସ୍ଥାନିତ କରାଯାଇଥିବା କହିଛନ୍ତି ଖଣ୍ଡପୀଠ ।

Supreme Court Issue Notice To

ସିଜେଆଇ କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ । ମାଗଣା ବାଣ୍ଟିବାର ବଜେଟ୍, ନିୟମିତ ବଜେଟ୍ ଠାରୁ ଭିନ୍ନ । ଯଦିଓ ଭ୍ରଷ୍ଟାଚାର ନୁହେଁ ତଥାପି ଏହା ଅସମାନତା ସୃଷ୍ଟି କରୁଛି । ହୋଇଥିବା ଆବେଦନରେ ପଞ୍ଜାବ ନିର୍ବାଚନ ଲାଗି ହୋଇଥିବା ନିର୍ବାଚନୀ ଇସ୍ତାହାର କଥା କୁହାଯାଇଛି । ଏଥିରେ ଆମ୍ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଓ କଂଗ୍ରେସର ନାମ ରହିଛି ।

ଆବେଦନକାରୀ କହିଛନ୍ତି, ମାଗଣା ଘୋଷଣା ଚିନ୍ତାଜନକ ସ୍ତରରେ ପହଞ୍ଚିଛି । ଏପରିକି ନିର୍ବାଚନରେ ସର୍ବସାଧାରଣ ସମ୍ପତ୍ତିକୁ ମାଧ୍ୟମ କରି ମତଦାତାଙ୍କୁ ଲୋଭ ଦେଖାଇ ମାଗଣା ସାମଗ୍ରୀ ଦେବା ଘୋଷଣା ସମ୍ବିଧାନର ଅନୁଚ୍ଛେଦ ୧୪, ୧୬୨, ୨୬୬(୩) ଓ ୨୮୨ର ଉଲ୍ଲଂଘନ କରୁଛି । ଆବେଦନକାରୀଙ୍କ ଓକିଲ କହିଛନ୍ତି, ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଠି ପ୍ରତି ବ୍ୟକ୍ତି ମୁଣ୍ଡପିଛା ଋଣଭାର ୩ ଲକ୍ଷ ଟଙ୍କା ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ।

Leave a Reply