ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କଟକ: ଓଡ଼ିଶାରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ୨ଶହ ନୂଆ ବେଡ୍ ଓ ୩୦ ବେଡ୍ ବିଶିଷ୍ଟ ଆଇସିୟୁ ଓ୍ବାର୍ଡର ଉଦଘାଟନ କରିବେ ନବୀନ । ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ । ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ ।
ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଥିବାବେଳେ ଅନ୍ୟ ମହଲାରେ ରହିଛି ୨ଶହ ବେଡ୍ । ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।