କୋଇଡ଼ାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ: ଶିକ୍ଷିତ ଯୁବକଯୁବତୀଙ୍କ ସ୍ୱପ୍ନ ପୂରଣ ପାଇଁ ମାଗଣା କୋଚିଂ

ସୁନ୍ଦରଗଡ଼/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଆରମ୍ଭ ହେଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ କେନ୍ଦ୍ରର ଜଣେ ଛାତ୍ରୀ ଫିତା କାଟି ଏହାକୁ ଉଦଘାଟନ କରିଥିଲେ । କୋଇଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଖୋଲିଥିବା ଏହି କେନ୍ଦ୍ର ସୁନ୍ଦରଗଡ଼ ଜିଲ୍ଲାରେ ୪ର୍ଥ । ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଓ ବଣାଇଠାରେ ୩ଟି କେନ୍ଦ୍ର ରହିଛି ।

କୋଇଡାରେ ଏହି କେନ୍ଦ୍ର ଖୋଲାଯାଇଥିବାରୁ ବିଧାୟକ ମୁଣ୍ଡା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଖଣି ପ୍ରଭାବିତ କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

ପୂର୍ବରୁ ଥିବା ୩ଟି କେନ୍ଦ୍ରରେ ମାଗଣାରେ କୋଚିଂ ନେଇ ଜିଲ୍ଲାର ବହୁ ପିଲା ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଏହା ଆମ ପାଇଁ ବଡ ସଫଳତା । କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକଯୁବତୀଙ୍କୁ କୋଚିଂର ସୁବିଧା ଦେଇ ସେମାନଙ୍କ କ୍ୟାରିୟର ଗଢିବା ଲାଗି ଏହି କେନ୍ଦ୍ର ଖୋଲା ଯାଇଥିବା କଲ୍ୟାଣ କହିଛନ୍ତି ।

ଉଦଘାଟନ ସମାରୋହରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଥିବା ଯୁଧିଷ୍ଠିର ମୁଣ୍ଡାଙ୍କ ମା’ ସୀତା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁଧିଷ୍ଠିର ବଣାଇ ‘ସୁଦକ୍ଷ’ କେନ୍ଦ୍ରରେ ମାଗଣା କୋଚିଂ ନେଇ ନିକଟରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଛନ୍ତି ।

ଜିଲ୍ଲାର ଯୁକ୍ତଦୁଇ ଓ ଯୁକ୍ତ ତିନି ପାସ୍ କରିଥିବା ଯୁବକଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି । ସୁନ୍ଦରଗଡ଼, ରାଉରକେଲା ଓ ବଣାଇ କେନ୍ଦ୍ରରେ ୫ମ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି । ଏହାସହ ହଷ୍ଟେଲରେ ରହିବା, ଖାଇବାଠାରୁ ଆରମ୍ଭ କରି ୟୁନିଫର୍ମ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ‘ସୁଦକ୍ଷ’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ପରିଚାଳନା ଦାୟିତ୍ୱ ତୁଲାଉଛି ।

ଏଠାରେ ପିଲାମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଲାଗି କୋଚିଂ ଦିଆଯାଉଛି । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ପିଲାମାନଙ୍କ ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯାଇଥାଏ । ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଇଥାଏ ।

ଉଦଘାଟନୀ କାର୍ଯ୍ୟକ୍ରମରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା ଏବଂ ଅଶୋକ କୁମାର ନାଏକ, କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ, କୋଇଡ଼ା ତହସିଲଦାର ଡି.ଏସ୍. ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ୍, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡାଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।