5T ଉପକ୍ରମରେ ଘରୋଇ ଓଡ଼ିଆ ମିଡିୟମ ସ୍କୁଲରେ ପିଲାଙ୍କୁ ମିଳିବ ମାଗଣା ବହି

1 min read

ଭୁବନେଶ୍ବର: ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ବି ମିଳିବ ମାଗଣା ପାଠ୍ୟପୁସ୍ତକ । 5T ଉପକ୍ରମରେ ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ ।

ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ । ଘରୋଇ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରିବେ ରାଜ୍ୟ ସରକାର  । ଏହା ଦ୍ବାରା ରାଜ୍ୟର ୩୬୨୦ଟି ଘରୋଇ ସ୍କୁଲର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ । ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି ।

ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡ଼ିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।