ସାଇବର ଥାନା ପୋଲିସ ହାତରେ ଧୂର୍ତ୍ତ ଠକ; ଅଧିକ ଦରମାର ଚାକିରି ଲୋଭ ଦେଖାଇ ଠକୁଥିଲା

1 min read

ଭୁବନେଶ୍ୱର: ସାଇବର ଥାନା ପୋଲିସ ହତାରେ ଧୂର୍ତ୍ତ ଠକ । ଅଣ୍ଡର ଗ୍ରାଜୁଏଟ ମୁଣ୍ଡରେ ହାଇଟେକ ଠକେଇ । ନାଲକୋ, ଏନଟିପିସି, ସିମ୍ପ୍ଲେକ୍ସ ବଡ଼ ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ୫୦ ଜଣ ଆଶାୟୀଙ୍କୁ ଠକେଇ ଅଭିଯୋଗ । ଠକ ଦିଲ୍ଲୀପ ବେହାରକୁ ମଞ୍ଚେଶ୍ୱର ଇଞ୍ଜିଣାରୁ ଗିରଫ କରି କୋର୍ଟ ଚାଲାଣ କଲା ସାଇବର ଥାନା ପୋଲିସ ।

ପୋଲିସର ସୂଚନା ଅନୁସାରେ ଅଭିଯୋଗକାରୀ ଜଣକ ଖବର କାଗଜରୁ ବିଜ୍ଞାପନ ଦେଖି ସିଏସଆର ନିର୍ଦ୍ଦେଶକ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ବିଷୟରେ ଜାଣିବାକୁ ପାଇଥିଲେ । ବିଜ୍ଞାପନରେ ଦିଆଯାଇଥିବା ମେଲ ଆଇଡିରେ ନିଜର ବାୟୋ-ଡାଟା ପଠାଇବା ସହ ଠକର ସଂପୃକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ଅଭିଯୁକ୍ତ ଜଣକ ଏକ ଆକାଉଣ୍ଟ ନମ୍ବର ଦେବା ସହ ସେଥିରେ ୩୨୦୦ଟଙ୍କା ପଠାଇବା ଲାଗି କହିଥିଲେ । ଟଙ୍କା ପଠାଇ ସାରିବା ପରେ ଅଭିଯୋଗକାରୀଙ୍କ ନିକଟକୁ ନିମ୍ନୋକ୍ତ ଅଭିଯୁକ୍ତ ୪୫୦୦୦ ଟଙ୍କା ଦରମାରେ ନିଯୁକ୍ତି ହୋଇଥିବା ଦର୍ଶାଇ ଏକ ପ୍ରୋଭିଜନାଲ ନିଯୁକ୍ତି ପତ୍ର ଦେଇଥିଲେ ।

ଗତ ଏପ୍ରିଲ ୭ତାରିଖ ଦିନ ଅଭିଯୁକ୍ତ ଜଣକ ଏଚଆର ନିୟମ ଅନୁଯାଇ ସମସ୍ତ କାଗଜପତ୍ରର ଯାଞ୍ଚ ଲାଗି ଅଭିଯୋଗକାରୀଙ୍କୁ ନାଲକୋ ସାଇଟକୁ ଡ଼ାକିଥିଲେ । ଠକ ଦିଲ୍ଲୀପ ନିଜକୁ ଆଡମିନିଷ୍ଟ୍ରେଟିଭ ବିଭାଗର ମୁଖ୍ୟ ବୋଲି ପରିଚୟ ଦେଇଥିଲେ । ଅଭିଯୋଗକାରୀ ଜଣକ ନାଲକୋ ସାଇଟକୁ ଦେଖିଲା ବେଳକୁ ବହୁ ଦିନ ପୂର୍ବରୁ ବନ୍ଦ ପଡିଥିବା ଥିବା ଜାଣିବାକୁ ପାଇଥିଲେ ।

ଅଭିଯୁକ୍ତ ଜଣକ ଅଣ୍ଡର ଗ୍ରାଜୁଏଟ ହୋଇ ଥିବା ବେଳେ ଏଭଳି ଭାବରେ ତାଙ୍କର ସହଯୋଗୀ ମାନେ ମିଶି ପ୍ରାୟ ୫୦ ଜଣ ଆଶାୟୀ ପ୍ରାର୍ଥୀଙ୍କୁ ଏନଟିପିସି, ନାଲକୋ ଏବଂ ସିମ୍ପ୍ଲେକ୍ସ କମ୍ପାନୀରେ ଚାକିରି କରାଇ ଦେବା ଆଳରେ ଠକିଛନ୍ତି । ଠକେଇ ଶିକାର ନେଇ ଜାଣିବା ପରେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ଦିଲ୍ଲୀପକୁ ଗିରଫ କରିଥିଲା ପୋଲିସ । ଯାଞ୍ଚ ବେଳେ ଆଶୟୀ ପ୍ରାର୍ଥୀଙ୍କୁ ସ୍ଵର ବଦଳାଇ କଥା ହେବା ସହ ବାରମ୍ବାର ଫୋନ ନମ୍ବର ବଦଳାଉଥିବା କଥା ପୁଲିସ ଜାଣିବାକୁ ପାଇଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ବାପା ଗାଡିରେ ବନ୍ଧୁକ ରଖି ପୁଅର ଷଡ଼ଯନ୍ତ୍ର, ବାନ୍ଧିଲା ପୋଲିସ