ଡିଆରଡିଓ ନାଁ ନେଇ ଲୋକଙ୍କୁ ଠକୁଛନ୍ତି ଠକ ଗ୍ୟାଙ୍ଗ, ଢେଙ୍କାନାଳରୁ ଆନ୍ଧ୍ରପ୍ରଦେଶ ଓ କୋଲକତାକୁ ଲମ୍ବିଛି ଚେର

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ବଜ୍ରକାପ୍ତା ଚୋରା ଚାଲାଣର ମହାଖୁଲାସା । ପରେ ହନୁମାନ ପଇସାର କଳା କାରବାର ଓ ଜାଲ ନୋଟର କଳାବଜାରି । ଏବେ ଡିଆରଡିଓ ନାଁ ନେଇ କେମତି ଲୋକଙ୍କୁ ଠକୁଛନ୍ତି ଠକ ଗ୍ୟାଙ୍ଗ ତାର ପ୍ରମାଣ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ରାଇସ ପୁଲର୍‌ ବିକିବା ପାଇଁ ଡିଲ କରୁଛନ୍ତି ଦଲାଲ । ଓଡ଼ିଶାର ଢେଙ୍କାନାଳରୁ ଆନ୍ଧ୍ରପ୍ରଦେଶ ଓ କୋଲକତାକୁ ଲମ୍ବିଛି ଚେର । ଡିଆରଡିଓ ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଯାଉଛି ।

ନନ୍ଦିଘୋଷ ହାତରେ ଲାଗିଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଠକ ଗ୍ୟାଙ୍ଗ ଏକ କାଚ ବାକ୍ସ ଭିତରେ ଧାତୁକୁ ନେଇ ଡିଲ୍ କରୁଛନ୍ତି ।  ଯାହାର ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଧାତୁଟି ଠିକ୍ ପୁରୁଣା କାଳିଆ ଏକ ତମ୍ବା ଟଙ୍କା ପରି । ଧାତୁର ଚାରିପଟେ ଲାଗିଛି ଚୁମ୍ବକ ଭଳି ଚାଉଳ । ଯାହାର ନାଁ ଦିଆ ଯାଇଛି ରାଇସ ପୁଲିଂ ଧାତୁ । ଆଉ ଏହି ଧାତୁର ମୂଲ୍ୟ ଶହ ଶହ କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଛି । ଧାତୁ ଥିବା ସ୍ବତନ୍ତ୍ର ବାକ୍ସରେ ଲେଖାଯାଇଛି ଡିଆରଡିଓ । ଅର୍ଥାତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜସନ । ଯେଉଁଠି ଭାରତୀୟ ସେନାର ବିଭିନ୍ନ ସାମଗ୍ରୀକୁ ରିସର୍ଚ୍ଚ କରାଯାଇଥାଏ ।

ଏଥିରେ ରିସର୍ଚ୍ଚ ସେଣ୍ଟରର ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇଛି । ଆଉ ବାକ୍ସ ଉପରେ ଧାତୁର ଗୁଣବତ୍ତାକୁ ବର୍ଣ୍ଣନା କରାଯାଇଛି । ଏସବୁ ଲେଖି ଲୋକଙ୍କ ମନରେ ଏହା ଡିଆରଡିଓ ସାମଗ୍ରୀ ବୋଲି ବିଶ୍ବାସ ଜନ୍ମାଯାଉଛି । ଯେଉଁଥିରେ ଧାତୁଟି କେମିତି କାମ କରୁଛି । କେମତି ଚାଉଳକୁ ପାଖୁ ଟାଣୁଛି । ଏସବୁ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ଥିବା ଠକ୍ ଗ୍ୟାଙ୍ଗଙ୍କ ପାଖକୁ ଏହା ପଠାଯାଉଛି ।

ରାତି ରାତି ବଡ ଲୋକ ହେବା ଲୋଭରେ ଏହି ଧାତୁକୁ ଖୋଜିବା ଆରମ୍ଭ କରିଦଅନ୍ତି ଧନୀ ଶ୍ରେଣୀର ଲୋକ । ଫରେନ୍ ମାର୍କେଟରେ ଏହି ଧାତୁଟିର ମୁଲ୍ୟ ଶହ ଶହ କୋଟି ଟଙ୍କା । ଆମେରିକା ନାସାରେ ଏହାର ମୂଲ୍ୟ ଅମୂଲ୍ୟ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଥାଆନ୍ତି ଠକ ଗ୍ୟାଙ୍ଗ । ଡିଲ୍ ନେଇ ଏକ ଅଡ଼ିଓ ବାର୍ତ୍ତା ମଧ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଏହି ବାର୍ତ୍ତାଳପ ଅନୁସାରେ ସବୁ କିଛି ଠିକ ହେଲା ପରେ ବୈଜ୍ଞାନିକଙ୍କ ଦ୍ବାରା ଧାତୁଟିର ଟେଷ୍ଟ କରାଯାଇଥାଏ । ପ୍ରଥମେ ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।

ଏହାପରେ ଦାମ ଅନୁସାରେ ଅଗ୍ରୀମ ମୋଟା ଅଙ୍କର ଆଡଭାନ୍ସ ମାଗିଥାନ୍ତି ଠକ । ପରେ ସେ ସାମଗ୍ରୀକୁ ଫୁଲ ଟଙ୍କା ଦେଲେ ଦିଆଯିବ ବୋଲି ଠକମାନେ କହିଥାନ୍ତି । ଏହାପରେ ଟଙ୍କା ନେଇଥିବା ଠକ୍ ଓ ଦଲାଲ ଦୁହେଁ ହୋଇଯାନ୍ତି ଗାଏବ । ଆଉ ଗ୍ରାହକ ଲୋଭର ବଶବର୍ତ୍ତୀ ହୋଇ ନିମିଷକ ମଧ୍ୟରେ ହୋଇଯାଏ କାଙ୍ଗାଳ । ଓଡ଼ିଶାରେ ଏହାର ଚେର ଧିରେ ଧିରେ ଲମ୍ବିବା ଆରମ୍ଭ କରିଥିବା ବେଳେ ଏହାକୁ ରୋକିବାକୁ ପୋଲିସ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକ ରହିଛି ।