ମିଛ ଡ଼ାଇରେକ୍ଟର, ସତ ଠକେଇ: ମଡ଼େଲିଂ କରିବାକୁ କହି ନେଇଗଲେ ଲକ୍ଷାଧିକ ଟଙ୍କା
ଭୁବନେଶ୍ୱର: ମଡେଲିଂ କରିବାକୁ ଡାକିଲେ । ବଡ଼ ଡାଇରେକ୍ଟର ବୋଲି ମଧ୍ୟ ପରିଚୟ ଦେଲେ । ଏମିତିକି ବଲିଉଡରେ ସେ କାମ କରିଥିବା ପ୍ରଲୋଭନ ଦେଖାଇଲେ । ବଡ଼ ପୋଷ୍ଟରରେ ନିଜ ଫଟୋ ଛାପିବାର ମୋହରେ ପଡିଗଲେ ଯୁବତୀ । ଆଉ ଏହାପରେ ଲକ୍ଷାଧିକ ଟଙ୍କା ଠକିନେଇ ଫେରାର ହୋଇଗଲେ ଜଣେ ଯୁବକ । ଏମିତି କିଛି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ଜଣେ ଯୁବକ ନିଜକୁ ବଲିଉଡର ଡାଇରେକ୍ଟର ପରିଚୟ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା । ଯୁବତୀଙ୍କୁ ମଡ଼େଲିଂ କରିବାର ପ୍ରଲୋଭନ ଦେଖାଇ ଚୂନ ଲଗାଇଛନ୍ତି । ନିଜର ଗୋଟିଏ ୱେବ ଚ୍ୟାନେଲ ଥିବା ସହ ସେ ଅନେକ ଫିଲ୍ମରେ ଡାଇରେକ୍ଟର ଥିବାର ପରିଚୟ ଦେଇଥିଲେ । ଆଡ଼ ସୁଟ କରିବାର ଆଶା ଦେଖାଇ ୧୦ ଜଣ ଯୁବତୀ ଓ ୮ ଜଣ ଯୁବକଙ୍କ ଠାରୁ ୮୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି ।
ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବକ, ଯୁବତୀ । ଉକ୍ତ ଠାକ ଡାଇରେକ୍ଟରକୁ ଧରିବା ସହ ଠକି ନେଇଥିବା ଟଙ୍କା ଫେରି ପାଇବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପୋଲିସ ଏହି ଘଟଣାରେ କଣ ପଦକ୍ଷେପ ନେଉଛି । ଏହି ଘଟଣାକୁ କେତେଦୂର ଗୁରୁତ୍ୱର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ ।