ଆଇଫୋନ୍, ସୁନା ହାର ଦେବେ କହି ଠକିନେଲେ ଲକ୍ଷେ

କେନ୍ଦ୍ରାପଡ଼ା: କାଳ ହେଲା ଅନଲାଇନ ବନ୍ଧୁତା । ସାଇବର ଠକେଇର ଶିକାର ହେଲେ ମହିଳା । ଲକ୍ଷେ  ୭୦ ହଜାର ଟଙ୍କା ଠକିନେଲା ଠକ । ଏଭଳି ଅଭିଯୋଗ ଆସିଛି ଡେରାବିଶ ବ୍ଲକ କୁସିଆପାଳ ପଞ୍ଚାୟତ ବାବୁରାମପାଟଣାରୁ ।

ବାବୁରାମପାଟଣାର ଜମରୁନ ବିବି ଫେସବୁକରେ ରବି ଶର୍ମା ନାମକ ବ୍ୟକ୍ତିଙ୍କ ସହ ଅନଲାଇନ କଥାବାର୍ତ୍ତା ହେଉଥିଲେ । ପରେ ଉକ୍ତ ବ୍ୟକ୍ତି ତାଙ୍କୁ ଭଉଣୀ ସମ୍ବୋଧନ କରି ଆଇଫୋନ, ସୁନା ନେକ୍ଳେଶ, ସୁନା ହାର, ଫ୍ରିଜ ଆଦି ଅନେକ ଦାମୀ ସାମଗ୍ରୀ ଜମରୁନଙ୍କୁ ଉପହାର ଦେବ ବୋଲି କହିଥିଲା ।

ଲୋଭର ବଶବର୍ତ୍ତୀ ହୋଇ ଜମରୁନ ବିବି ଫୋନ ପେ’ ରେ ଲକ୍ଷେ ସତୁରି ହଜାର ଟଙ୍କା ପଠାଇଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ଗିଫ୍ଟ ଆସିନଥିଲା । ଏନେଇ  କ୍ରାଇମ ବ୍ରାଞ୍ଚ ଓ ସାଇବର ସେଲରେ ଅଭିଯୋଗ କରିଛନ୍ତି ମହିଳା । ଘଟଣାର ହେବ ତଦନ୍ତ ।