ନକଲି ଚେକରେ ୪୬ ଲକ୍ଷ ଠକେଇ

ଜଗତସିଂହପୁର: ନକଲି ଚେକ୍ ମାଧ୍ୟମରେ ସରକାରୀ ଅର୍ଥ ଠକେଇ । ଲକ୍ଷେ କି ଦୁଇଲକ୍ଷ ନୁହେଁ କୋଟିଏର ଉର୍ଦ୍ଧ୍ୱ ଟଙ୍କା ଗାଏବ । ଏଭଳି ଘଟଣା ଘଟିଛି ଜଗତସିଂହପୁର ବ୍ୟାଙ୍କ ଅଫ ବରୋଦା ଶାଖାରେ । ଖାଲି ଜଗତସିଂହପୁର ନୁହେଁ କଟକ ନୂଆବଜାର, ସୋନପୁର ଶାଖାରୁ ମଧ୍ୟ ଉଠାଯାଇଛି ଟଙ୍କା । 17 ତାରିଖରେ ଜଗତସିଂହପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜମା ଖାତାରୁ 46 ଲକ୍ଷ 12 ହଜାର ଟଙ୍କା ଅବିକଳ ନକଲି ଚେକ୍ ମାଧ୍ୟରେ ଉଠାଣ ହୋଇଛି । ଏନେଇ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସେହିପରି କଟକ ନୂଆବଜାର ଶାଖାରୁ 42 ଲକ୍ଷ ଓ ସୋନପୁର ଶାଖାରୁ 72 ଲକ୍ଷ ଟଙ୍କା ଉଠାଯାଇଥିବା ଜଣାପଡିଛି । ଶିଳ୍ପ କେନ୍ଦ୍ରର ଚେକ ନମ୍ବର 119 ମାଧ୍ୟମରେ ଏହି ଟଙ୍କା କୋଲକାତା ରୁମା ଟେଲିକମକୁ ଟ୍ରାନ୍ସଫର୍ କରାଯାଇଛି । ଅଭିଯୋଗ ପରେ ବ୍ୟାଙ୍କ କତ୍ତୃପକ୍ଷ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ତେବେ ଏତେଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚେକ୍ ଓ ଶିଳ୍ପ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକଙ୍କ ଦସ୍ତଖତ କିପରି ଯାଞ୍ଚ କରି ନଥିଲେ ସେନେଇ ଉଠିଛି ପ୍ରଶ୍ନ । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଜଗତସିଂହପୁର ପୋଲିସ୍ ।