ଚାକିରୀ କରାଇଦେବା ନାଁରେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଲା ଦୁର୍ବୁତ୍ତ

ନନ୍ଦିଘୋଷ ବ୍ୟୁରୋ: ଜାମସେଦପୁର ଟାଟା ଷ୍ଟିଲ୍ ରେ ଚାକିରୀ କରାଇଦେବା ନାଁ ରେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଲା ଦୁର୍ବୁତ୍ତ । ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ । ଇଲେକ୍ଟ୍ରିକାଲ ଡିଗ୍ରୀ ସାରିବା ପରେ ପରେ ବେକାର ଥିଲେ ଶକ୍ତି । ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କ ଭେଟ ହୋଇଥିଲା । ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ ଖୋଲିଥିଲେ ।

ଚାକିରୀ କରାଇ ଦେବେ କହି ପର୍ଯ୍ୟାୟକ୍ରମେ ଶକ୍ତିଙ୍କ ଠାରୁ 3 ଲକ୍ଷ 50 ହଜାର ଟଙ୍କା ନେଇଥିଲେ । ବିଶ୍ବାସ ଜନ୍ମାଇବା ପାଇଁ ଶକ୍ତିକୁ ଜାମସେଦପୁରକୁ ନେଇ ନକଲି ଟାଟା ଷ୍ଟିଲ ଅଧିକାରୀଙ୍କ ସହ ସାକ୍ଷାତ ମଧ୍ୟ କରାଇଥିଲେ । ଟଙ୍କା ନେବାର 4 ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରୀ ଦେଇ ନଥିଲେ । ଯେଉଁ ଅଫିସ କରିଥିଲେ ସେ ଅଫିସ ବନ୍ଦ କରି ଫୋନ୍ ସୁଇଚଅଫ୍ କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶକ୍ତି ।