ବିଜେପି ନେତାଙ୍କ ପିଛା ଛାଡୁନି ଅଭିଯୋଗ, ଏବେ ମୋହନଙ୍କ ନାଁରେ ମକୋଦ୍ଦମା

1 min read

କେନ୍ଦୁଝର: ପୁଣି ଜଣେ ବିଜେପି ଜନପ୍ରତିନିଧିଙ୍କ ନାଁରେ ଅଭିଯୋଗ । ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କୁ ଅଶାଳୀନ ଆଚରଣ ପରେ ଏବେ ଠକେଇ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବିଜେପି ସାଂସଦ ଜୁଏଲ ଓରାମଙ୍କ ପରେ ଏଥର ଫସିଲେ କେନ୍ଦୁଝର ସଦର ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ ମାଝୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାଙ୍କ ଦଳର ପୂର୍ବତନ ଜିଲ୍ଲା ସମ୍ପାଦକ ସଞ୍ଜୀବ ନାୟକ । ୨୦୧୯ ମସିହାରେ ସଞ୍ଜୀବଙ୍କଠାରୁ ମୋହନ ମାଝୀ ୩ ଲକ୍ଷ ୫୬ ହଜାର ଟଙ୍କାର ଆସବାବପତ୍ର ଓ କିଛି ନଗଦ ଟଙ୍କା ନେଇଥିଲେ ।

ତେବେ ୨ ବର୍ଷରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏବେବି ୧ ଲକ୍ଷ ୫୫ ହଜାର ଟଙ୍କା ମୋହନ ବକେୟା ରଖିଥିବା ଅଭିଯୋଗ ହୋଇଛି । ମୋହନ ମାଝୀଙ୍କୁ ବକେୟା ଟଙ୍କା ମାଗିଲେ କେସ୍‌ ଦିଆଯିବ ବୋଲି ଧମକ ଦେଉଥିବା ସଞ୍ଜୀବ ନାୟକ ଥାନାରେ ଏତଲା ଦେଇଛନ୍ତି । ତେବେ ସଞ୍ଜୀବଙ୍କଠାରୁ ଆସବାବପତ୍ର ନେଇଥିବା ସ୍ୱୀକାର କରିଛନ୍ତି ମୋହନ ମାଝୀ । ୪୦ ପ୍ରତିଶତ ଛାଡ଼ ହିସାବରେ ସେ ସଞ୍ଜୀବଙ୍କୁ ସମସ୍ତ ଟଙ୍କା ପୈଠ କରିଛନ୍ତି ।

ସଞ୍ଜୀବ GST ଠକିଥିବା ମୋହନ ମାଝୀ ଅଭିଯୋଗ କରିବା ସହ ସଞ୍ଜୀବଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ମୋହନ ମାଝୀ କହିଛନ୍ତି । ଏହା ଉପରେ ସଞ୍ଜୀବ କହିଛନ୍ତି, ଏଷ୍ଟିମେଟେଡ୍‌ ବିଲ ସେ ସଙ୍ଗେ ସଙ୍ଗେ ଦେଇଛନ୍ତି । ମୋହନ ଯେତେଥର ଟଙ୍କା ଦେଇଛନ୍ତି, ତା’ର ରସିଦ ଦିଆଯାଇଛି । ମୋହନ ମାଝୀ ଫାଇନାଲ ପେମେଣ୍ଟ ନଦେଲା ଯାଏ କିପରି ଜିଏସଟି ପେମେଣ୍ଟ କରିବେ ବୋଲି ସଞ୍ଜୀବ ପାଲଟା ପ୍ରଶ୍ନ କରିଛନ୍ତି ।

Leave a Reply