ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଚୀନକୁ ମଧ୍ୟସ୍ଥତା କରିବାକୁ ଫ୍ରାନ୍ସର ନିବେଦନ

1 min read

ବେଜିଂ: ଋଷ-ୟୁକ୍ରେନ ଯୁଦ୍ଧରେ ଅନ୍ତ ଲାଗି ହାତ ବଢ଼ାଇଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଏନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅନୁରୋଧ କରିଛନ୍ତି ମାକ୍ରନ । ବେଜିଂ ଗସ୍ତରେ ଥିବା ମାକ୍ରନ କହିଛନ୍ତି- ଯଦି ଋଷ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି ଲାଗି ଜିନପିଙ୍ଗ ଉଦ୍ୟମ କରିବେ ତେବେ ସେ ଏଥିରେ ସହାୟତା କରିବେ । ତେଣେ ବିଶ୍ବଶାନ୍ତି ପ୍ରତି ଦୁଇରାଷ୍ଟ୍ରର ସକ୍ଷମତା ଓ ଦାୟିତ୍ବବୋଧ ରହିଛି ବୋଲି କହିଛନ୍ତି ଜିନପିଙ୍ଗ ।

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ଚୀନ ପ୍ରସ୍ତୁତ କରିଥିବା ଏକ ୧୨ ସୂତ୍ରୀ ପ୍ରସ୍ତାବ ସମ୍ପର୍କରେ ବି ହୋଇଛି ଆଲୋଚନା । ଦୁଇ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ବି ଅନୁଷ୍ଠିତ ହୋଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବର୍ତ୍ତମାନ ସୁଦ୍ଧା ନିନ୍ଦା କରି ନଥିବା ମାକ୍ରନଙ୍କ ବେଜିଂ ଗସ୍ତ କାଳରେ ଯୁଦ୍ଧର ଅବସାନ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ବେଜିଂ ଗସ୍ତ କାଳରେ ମାକ୍ରନ ଯୁଦ୍ଧ ସମେତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ପାଶ୍ଚାତ୍ୟ ରାଷ୍ଟ୍ର ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ମାକ୍ରନଙ୍କ ଏହି ଗସ୍ତକୁ ନେଇ ଆମେରିକା ସତର୍କ ଦୃଷ୍ଟି ରଖିଛି । ତେଣେ ବେଜିଂରେ ମାକ୍ରନଙ୍କୁ ଭରପୂର ସାମରିକ ସମ୍ବର୍ଦ୍ଧନା ବି ଦିଆଯାଇଛି ।