ଯୁଦ୍ଧ ରୋକିବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆହ୍ବାନ, ମନା କଲେ ନେତ୍ୟାନାହୁ

1 min read
Gaza

ତେଲ ଆଭିଭ: ଇସ୍ରାଏଲ-ହମାସ ମଧ୍ୟରେ ଜୋରଦାର ସଂଘର୍ଷ। ଗତକାଲିର ହମଲାରେ ଦେଢଶହରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି। ମାସେରୁ ଅଧିକ ସମୟ ହେଲାଣି ଲାଗିଛି ଯୁଦ୍ଧ। ଇସ୍ରାଏଲ ସେନା ଗାଜାରେ ହମାସ ଆତଙ୍କୀଙ୍କୁ ସଫା କରୁଛି। ଟ୍ୟାଙ୍କ ଓ ଯବାନଙ୍କୁ ନେଇ ଚାଲିଛି ଆତଙ୍କୀ ଦମନ ଗ୍ରାଉଣ୍ଡ ଅପରେସନ। ଗତକାଲି ପାଲେଷ୍ଟାଇନର ସବୁଠାରୁ ବଡ ଅଲ୍ ସିଫା ହସ୍ପିଟାଲରେ ହୋଇଥିଲା ଘାତକ ହମଲା। ଏଥିରେ ପାଲେଷ୍ଟାଇନରେ ସ୍ବାସ୍ଥ୍ୟସେବା ପୂରା ବିଗିଡି ଯାଇଛି।

ଘମାଘୋଟ ସଂଘର୍ଷ ଚାଲିଥିବାରୁ ଯୁଦ୍ଧ ରୋକିବାକୁ ଆହ୍ବାନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଗାଜାରେ ସାଧାରଣ ଜନତାଙ୍କ ଉପରେ ବୋମା ବର୍ଷଣ ବନ୍ଦ ହେଉ ବୋଲି କହିଛନ୍ତି ରାଷ୍ଟ୍ରପତି ମାକ୍ରନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଇମାନୁଏଲ ମାକ୍ରନଙ୍କ ଆଲୋଚନା ସତ୍ବେ ଇସ୍ରାଏଲ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଯୁଦ୍ଧବିରାମ କରିବାକୁ ମନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ।

ହମାସ ସହ ଯୁଦ୍ଧବିରାମର ଅର୍ଥ ଆତ୍ମସମର୍ପଣ ବୋଲି କହିଛନ୍ତି ନେତନ୍ୟାହୁ। ଯୁଦ୍ଧ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଛି। ପାଲେଷ୍ଟାଇନର ଦକ୍ଷିଣ ସୀମାବର୍ତ୍ତୀ ଅଂଚଳରୁ ମାନବୀୟ ସହାୟତା ଜାରି ରଖିବାକୁ ଆହ୍ବାନ କରିଛନ୍ତି ଅନେକ ଦେଶ ।ଇସ୍ରାଏଲ-ହମାସ ଯୁଦ୍ଧରେ ପାଲେଷ୍ଟାଇନର ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଏବେବି ହମାସ ଆତଙ୍କୀ ପାଖରେ ୨୩୯ ପଣବନ୍ଦୀ ରହିଛନ୍ତି । ସେମାନଙ୍କୁ ନଛାଡିବା ଯାଏ ଆକ୍ରମଣ ଜାରି ରହିବ ବୋଲି କହିଛି ଇସ୍ରାଏଲ ।

ଗାଜା-ପାଲେଷ୍ଟାଇନ ସଂଘର୍ଷ ଯୋଗୁଁ ମଧ୍ୟପ୍ରାଚ୍ୟରେ ରାଜନୈତିକ ପଟ୍ଟଚିତ୍ର ବଦଳିବାରେ ଲାଗିଛି।ଇସ୍ରାଏଲ ସେନା ଓ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇ ଚାଲିଛି। ୟେମେନରେ ଇରାନ ସମର୍ଥନରେ ଥିବା ହୁଥୀ ବିଦ୍ରୋହୀ ମିସାଇଲ ପରୀକ୍ଷଣ କରିଥିବା କହିଛି। ଯୁଦ୍ଧରେ ଏବେ ସୁଦ୍ଧା ପାଲେଷ୍ଟାଇନର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ଯାଇଛି ୧୪ଶହରୁ ଅଧିକ ଲୋକଙ୍କ ଜୀବନ।