ନୂଆ କୃଷି ବିଲ୍: ଉତ୍ତର ଭାରତରେ ଚକ ଅଖ ଜାମ୍, ଓଡ଼ିଶାରେ ବିଭିନ୍ନ କୃଷକ ସଂଗଠନର ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ନେଇ ଚାଷୀଙ୍କ ସଂଗ୍ରାମ ଜାରି ରହିଛି  । ପ୍ରତିବାଦରେ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଉତ୍ତର ଭାରତରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି  । ସରକାର ବିରୋଧୀ ନାରାବାଜି ସହ ରାସ୍ତା ଅବରୋଧ, ରେଳ ରୋକ କରି ତୁରନ୍ତ ବିଲ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି  । ତେବେ ଭାରତ ବନ୍ଦ ଡାକରାର ଆଶିଂକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି  । ନବ ନିର୍ମାଣ କୃଷକ ସଂଗଠନ ପରି କିଛି ଚାଷୀ ସଂଗଠନ ଆନ୍ଦୋଳନ କରି ନୂଆ ବିଲ ଚାଷୀର ସର୍ବନାଶ କରିବ ବୋଲି କହିଛନ୍ତି  ।

ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ ଓ ରାସ୍ତା ରୋକ  । ଟାୟାର ଜାଳି, ବସ ରୋକି, ରେଲୱେ ଧାରଣାରେ ଡେରା ପକାଇ ଠପ କଲେ ଜୀବନ ଯାତ୍ରା । ନୂଆ କୃଷି ବିଲ ବିରୋଧରେ କେନ୍ଦ୍ର ସରକାରକୁ କଡ଼ା ତାଗିଦ  । ବିଲ ପ୍ରତ୍ୟାହାର କର ନହେଲେ ଆନ୍ଦୋଳନ ଆହୁରି ଉଗ୍ର ହେବ  । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୂରା ଉତ୍ତର ଭାରତରେ  । ବିଶେଷ କରି ପଞ୍ଜାବ ଓ ହରିୟାଣାରେ ଚାଷୀ ନିକଟରେ ସଂସଦରେ ପାରିତ ହୋଇଥିବା ତିନି କୃଷି ବିଲର ତୀବ୍ର ବିରୋଧ କରିଛନ୍ତି  । ଏହାସହ ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ଝାଡ଼ଖଣ୍ଡ,  ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସରକାରଙ୍କ ଏହି ନୂଆ କୃଷି ବିଲ୍ ଚାଷୀବିରୋଧି, ଏହା ଦ୍ବାରା ଚାଷୀକୁଳ ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି  ।

ସେପଟେ କୃଷି ବିଲ୍‌କୁ ବିରୋଧ କରି ଭାରତ ବନ୍ଦର ଆଶିଂକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି  । ବିଭିନ୍ନ କୃଷକ ଓ ମଜଦୁର ସଂଗଠନ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତଳିକା ଦାହ କରିଛନ୍ତି  । ଭୁବନେଶ୍ବରରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ବିକ୍ଷୋଭ ପ୍ରଦର୍ଶନ କରି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା  । ଭୁବନେଶ୍ବରରେ କୃଷି ଭବନ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରି କୃଷି ଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ  । ପୋଲିସ ସୋମାନଙ୍କୁ ଉଠାଇନେଇଥିଲା  । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲକୁ  ସଂସଦରେ ଧ୍ଵନି ମତରେ ଅନୁମୋଦନ କରାଯିବା ଗଣତନ୍ତ୍ର ବିରୋଧୀ । ଏହା ଚାଷୀର ସର୍ବନାଶ କରିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ସଂଗଠନ  ।

ସେହିପରି ଢେଙ୍କାନାଳ, ରାୟଗଡା, ମୟୂରଭଞ୍ଜ, ବରଗଡ଼, କଳାହାଣ୍ଡି, ବାଲେଶ୍ୱର, ନବରଙ୍ଗପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ଏହି ଜିଲ୍ଲାଗୁଡିକରେ ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ରାଜରାସ୍ତାରେ ବିକ୍ଷୋଭ କରିବା ସହିତ ସରକାର ବିରୋଧୀ ନାରାବାଜି କରିଛନ୍ତି  । ତେବେ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ନୂତନ କୃଷି ବିଲ୍‌ର ପ୍ରତ୍ୟାହାର ନକରିଛନ୍ତି ସେପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଭିନ୍ନ କୃଷକ ସଂଗଠନ  ।

Leave a Reply