୩୦ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ: ୧୫ ଜିଲ୍ଲାରେ ରହିବେ ମହିଳା

ଭୁବନେଶ୍ୱର: ୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ୩୦ ଜିଲ୍ଲାରୁ ୪ଟି ପଛୁଆ ବର୍ଗ, ୪ଟି ଅନୁସୂଚିତ ଜାତି, ୧୦ଟି ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧୨ଟି ଅଣସଂରକ୍ଷିତ ରହିଛି । ପୂର୍ବରୁ ସ୍ୱାର୍ଡ ସଭ୍ୟ, ସରପଞ୍ଚ, ସମତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏସବୁର ଅଭିଯୋଗ ପାଇଁ ଆଜି ଥିଲା ଶେଷ ତାରିଖ । ଅଭିଯୋଗର ଶୁଣାଣି କରି ୨୬ ତାରିଖ ସୁଦ୍ଧା ଜିଲ୍ଲାପାଳ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ । ୩୦ ତାରିଖ ସୁଦ୍ଧା ପଂଚାୟତିରାଜ ବିଭାଗ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ତାଲିକା ହସ୍ତାନ୍ତର କରିବ ।

ଓ୍ୱାର୍ଡ ସଭ୍ୟ, ସରପଞ୍ଚ, ସମତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ପରେ ଆସିଲା ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା । ୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଅନୁଗୁଳ, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ୪ଟି ଜିଲ୍ଲା ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର ଭଳି ୪ ଜିଲ୍ଲା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ୧୦ଟି ଜିଲ୍ଲା କନ୍ଧମାଳ,କୋରାପୁଟ, ନବରଙ୍ଗପୁର, ନୟାଗଡ଼, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୧୨ଟି ଜିଲ୍ଲାର ଜିଲ୍ଲାପରିଷଦ ସଭାପତି ପଦ ଅଣସଂରକ୍ଷିତ ରହିଛି । କଳାହାଣ୍ଡି, କେନ୍ଦ୍ରାପଡା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ଦେବଗଡ଼, ନୂଆପଡା, ପୁରୀ, ବରଗଡ଼, ବଲାଙ୍ଗୀର , ବୌଦ୍ଧ, ସମ୍ବଲପୁର ଅଣସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ସଭାପତି ପଦବୀ ସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲା ଗୁଡିକ ହେଲେ ଅନୁଗୁଳ, କଟକ, କଳାହାଣ୍ଡି, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ନୟାଗଡ, ନୂଆପଡା, ବରଗଡ, ବୌଦ୍ଧ. ଭଦ୍ରକ, ମାଲକାନଗିରି, ରାୟଗଡା ଓ ସୋନପୁର ସଂରକ୍ଷିତ ରହିଛି । ୩୦ ତାରିଖ ସୁଦ୍ଧା ତ୍ରିସ୍ତରୀୟ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ହସ୍ତାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

୬,୮୦୦ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ସଂରକ୍ଷଣ ତାଲିକା ଉପରେ ଅଭିଯୋଗ ପାଇଁ ଆଜି ଥିଲା ଶେଷ ତାରିଖ । ଜିଲ୍ଲାପାଳ ଏସବୁ ଅଭିଯୋଗର ଶୁଣାଣି କରି ୨୧ ତାରିଖ ସୁଦ୍ଧା ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ । ଜିଲ୍ଲା ପରିଷଦ ସଭ୍ୟଙ୍କ ସଂରକ୍ଷଣ ତାଲିକା ୨୨ ତାରିଖ ସୁଦ୍ଧା ଚୂଡ଼ାନ୍ତ କରାଯିବ । ଅକ୍ଟୋବର ୨୬ ସୁଦ୍ଧା ଏମାନଙ୍କ ତାଲିକା ନିର୍ବାଚନ ଆୟୋଗଙ୍କୁ ଦିଆଯିବ । ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗକୁ ହସ୍ତାନ୍ତର ହେବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା କାମ ଆରମ୍ଭ ହେବ ।

Leave a Reply