ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍: ୪ ୟୁଟ୍ୟୁବର ଓ ଜଣେ ଶିକ୍ଷକ ଗିରଫ

କଟକ: ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍ । ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ବିକ୍ରି କରୁଥିଲେ ଅଭିଯୁକ୍ତ । ରାକେଟ୍‌ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ କଟକ ସାଇବର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର , ଭଦ୍ରକର ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସ‌ହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟ୍ୟାବ ଜବତ କରିଛି ପୋଲିସ। ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏ ନେଇ ଏକ ଏତଲା ଦେଇଥିଲେ। ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା | ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣାପଡ଼ିଥିଲା | ଏଥିରୁ ଅଭିଯୁକ୍ତ ମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ପୋଲିସ ଜାଣିବାକୁ ପାଇଛି।