ସାବଧାନ ! ପୂଜା ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ, ବମିଖାଲ ମଣ୍ଡପରୁ ଝାମ୍ପି ନେଲେ ୪ ସୁନା ଚେନ୍

ଭୁବନେଶ୍ବର: ଦୁର୍ଗାପୂଜାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ବିଭିନ୍ନ ପୂଜା ମଣ୍ଡପରେ ଭଳି କି ଭଳି ତୋରଣ ସହ ଡେକୋରେସନ୍ ଲୋକଙ୍କୁ କରୁଛି ଆକୃଷ୍ଟ । ମଣ୍ଡପଗୁଡିକରେ ପୂଜା ଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । ହେଲେ ମା’ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ବମିଖାଲ ପୂଜା ମଣ୍ଡପ ନିକଟରୁ ୪ ଜଣ ମହିଳାଙ୍କ ବେକରୁ ଲୁଟିଛନ୍ତି ୧୦ ଭରି ଲେଖାଏଁର ୪ଟି ସୁନା ଚେନ୍ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନ ଚୋରି ପରେ ଭୋ ଭୋ ହୋଇ ମହିଳାମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଛି । ଏ ନେଇ ପିସିଆରକୁ ଜଣାଇବା ପରେ ଛାନବିନ ଆରମ୍ଭ ହୋଇଛି ।

ଏକ ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଲୁଟ ବେଳେ ସେମାନେ କିଛି ମହିଳାଙ୍କୁ ଦେଖିଛନ୍ତି । ସେପଟେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପକୁ ଆସୁଛନ୍ତି । କମିଶନରେଟ ପୋଲିସ ମୁତୟନ କରିବାକୁ କହିଥିବା ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।