ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍, ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମ ଭିତରକୁ ଜଳ ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୬୯ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ ହୀରାକୁଦକୁ ୧ଲକ୍ଷ ୪୯ ହଜାର ୧୬୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ସେକେଣ୍ଡକୁ ୨ ଲକ୍ଷ ୭ ହଜାର ୭୬୯ ଘନ ଫୁଟ ବନ୍ୟା ଜଳ ନିଷ୍କାସିତ ହେଉଛି ।
ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।