ଉନ୍ନାଓରେ ଅଭାବନୀୟ ଘଟଣା; ବିଦ୍ୟୁତଘାତରେ ଗୋଟିଏ ପରିବାରର ୪ ଶିଶୁ ମୃତ

1 min read

ଉନ୍ନାଓ: ଉନ୍ନାଓ ଜିଲ୍ଲାର ବାରସଗୱର ଅଞ୍ଚଳରେ ବିଦ୍ୟୁତଘାତରେ ୪ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଏରିଆ ଅଧିକାରୀ (ନଗର) ଆଶୁତୋଷ କୁମାର କହିଛନ୍ତି ଯେ ବାରାସଗୱର ଥାନା ଅଞ୍ଚଳର ଲାଲମନ ଖେଡା ଗାଁର ବାସିନ୍ଦା ବିରେନ୍ଦ୍ର କୁମାରଙ୍କ ଘର ବାରଣ୍ଡାରେ ଏକ ପଙ୍ଖା ରଖାଯାଇଥିଲା । ସନ୍ଧ୍ୟା ସମୟରେ ବାରଣ୍ଡାରେ ଖେଳୁଥିବା ବେଳେ ଜଣେ ଛୁଆ ଫ୍ୟାନକୁ କୌଣସି କାରଣବଶତଃ ଛୁଇଁଥିଲା । ଉକ୍ତ ଶିଶୁଟିକୁ କରେଣ୍ଟ ମାରିଥିବାବେଳେ ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଭାଇ-ଭଉଣୀ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଚାରି ପିଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ସୂଚନାନୁସାରେ ଘରେ ୱାୟରିଂ ବ୍ୟବସ୍ଥା ନଥିବା ବେଳେ ଆର୍ଥିଙ୍ଗର ବ୍ୟବସ୍ଥା କରାଯାଇଥିଲା। ପଙ୍ଖା ମଧ୍ୟ ସମ୍ପୂର୍ଣ୍ଣ ଲୁହାର ଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଯାଇଛି । ତେବେ ମୃତ ପିଲାମାନଙ୍କର ନାମ ମୟଙ୍କ (୯), ହିମାଂଶୀ (୮), ହିମାଙ୍କ (୬) ଏବଂ ମାନସୀ (୫)। ଛୁଆଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡିଛି ପୂରା ପରିବାର।  ନିଜର ୪ ଛୁଆଙ୍କୁ ହରାଇ ମା’ ଏକପ୍ରକାର ପାଗଳି ହୋଇପଡୁଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ବାପା । ଏପଟେ ପିଲାଙ୍କୁ ହରାଇ କେମିତି ବଞ୍ଚିବି ବୋଲି ଛାତି ପିଟିପିଟି  କାନ୍ଦୁଥିବା ମା’ର ଆକୁଳ ଚିତ୍କାର ସମସ୍ତଙ୍କୁ ଧୈର୍ଯ୍ୟ ହରା କରିଦେଇଛି ।

ରିପୋର୍ଟ ଅନୁଯାୟୀ, ଏହି ଅଘଟଣ ସମୟରେ ପିତାମାତା କ୍ଷେତକୁ କାମ କରିବାକୁ ଯାଇଥିଲା ବେଳେ ଘରେ କେବଳ ପିଲାମାନେ ଥିଲେ।