୨କୋଟି ଟଙ୍କା ପାଇଁ ୪ ଯୁବକଙ୍କୁ ଅପହରଣ, ନାଗ ସାପ ଦେଖାଇ କରୁଥିଲେ ଭୟଭୀତ
1 min readଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୪ ଯୁବକଙ୍କୁ ଅପହରଣ । ବ୍ରହ୍ମପୁର ଓ ପରେ ଚିକିଟିରେ ରଖି ଦୁଇ କୋଟି ଟଙ୍କା ଦାବି । ଯୁବକମାନଙ୍କୁ ନାଗ ସାପ ଦେଖାଇ କରାଯାଉଥିଲା ଭୟଭୀତ । ଜଣେ ଖସି ଆସିବା ପରେ ଘଟଣାର ପର୍ଦ୍ଦାଫାଶ । ସୂଚନା ପାଇ ଉଦ୍ଧାର କଲା ପୋଲିସ ।
ଭୁବନେଶ୍ବରରୁ ଯୁବକମାନଙ୍କୁ ଅପହରଣ କରିବା ପରେ ପ୍ରଥମେ ବ୍ରହ୍ମପୁର ଓ ପରେ ଚିକିଟି ଗଡର ଏକ କୁଡିଆରେ ବାନ୍ଧି ରଖିଥିଲେ ଦୁର୍ବୁର୍ତ୍ତ । ୨କୋଟି ଟଙ୍କା ଦାବି କରିଥିଲେ । ଯୁବକମାନଙ୍କୁ ଅପହରଣ ରାଯିବା ପରେ ନାଗ ସାପ ଦଂଶନର ଭୟ ଦେଖାଇ ରଖାଯାଇଥିଲା ଅଟକ । ୨ କୋଟି ଟଙ୍କା ଦେଲେ ମୁକ୍ତି ନହେଲେ ନାଗ ଦଂଶନରେ ଜୀବନ ଯିବାର ଦେଖାଇ ଥିଲେ ଭୟ ।
ତେବେ କୌଣସି ପ୍ରକାରେ ଅଣି ଅପହୃତ ଖସିଯାଇ ସ୍ଥାନୀୟ ତହସିଲଦାରଙ୍କୁ କହିବା ପରେ ଉଦ୍ଧାର ହେଲେ ଅନ୍ୟମାନେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । ଅପହୃତ ଯୁବକଙ୍କ ମଧ୍ୟରେ ୨ ଜଣ କଟକର ହୋଇଥିବା ବେଳେ ଜଣେ ଦିଲ୍ଲୀର ଓ ଅନ୍ୟ ଜଣେ ଭୁବନେଶ୍ବରର । ଅପହୃତମାନେ ହେଲେ କଟକର ବ୍ରହ୍ମାନନ୍ଦ ପାତ୍ର ଏବଂ ଅହମ୍ମଦ ଖାନ, ଭୁବନେଶ୍ବରର ଅମରଜିତ୍ ସାମନ୍ତସିଂହାର ଓ ଦିଲ୍ଲାର ରବିନ୍ଦ୍ର କୁମାର । ଅପହରଣ ପରେ ବ୍ରହ୍ମପୁରରେ ୪ ଦିନ ରଖାଯାଇ ଯୁବକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ଅପହରଣ ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜଣେ ଅଟକ ରହିଛି । ଅପହରଣର ବିଭିନ୍ନ ଦିଗକୁ ନେଇ ଅବକାରୀ, ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ଘଟଣାରେ ଚିକିଟି SDPO, ଥାନା ଅଧିକାରୀ ଛାନବିନ କରୁଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । କେବଳ ୨ କୋଟି ଟଙ୍କା ଅର୍ଥ ପାଇଁ ଅପହରଣ କରାଯାଇଥିଲା ନା, ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରହିଛି । ସେପଟେ ଅପହରଣରେ ପ୍ରଥମ ଥର ନାଗସାପର ବ୍ୟବହାର କରାଯାଇଥିବାରୁ ବନ୍ୟଜନ୍ତୁ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଏହାସହ ଅପହରଣ ଓ ହତ୍ୟା ଧମକ ମାମଲା ମଧ୍ୟ ରୁଜୁ ହୋଇଥିବା ବ୍ରହ୍ମପୁର ଏସପି ଶରବଣ ବିବେକ.ଏମ୍ କହିଛନ୍ତି । ଫେରାର ଅଭିଯୁକ୍ତକୁ ଖୋଜିଛି ପୋଲିସ । ସେପଟେ ଏହା ଏକ ଭିନ୍ନ ଧରଣର ଅପହରଣ ଓ ନାଗସାପର ବ୍ୟବହାର ହୋଇଥିବାରୁ ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପୋଲିସ କହିଛି ।