ଦୌଡୁଛି ଶିଳ୍ପାୟନ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
1 min readଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରୋଟି ପ୍ରମୁଖ ଶିଳ୍ପ ୟୁନିଟ୍ ଉଦଘାଟନ କରିଛନ୍ତି । ଓଡ଼ିଶାର ନୂତନ ଶିଳ୍ପ ୟୁନିଟ୍ ପାଇଁ ଉଦଘାଟନୀ ସମାରୋହର ୧୭ ତମ ପର୍ଯ୍ୟାୟରେ ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପଗୁଡିକ ପାଇଁ ବିନିଯୋଗ ହେଉଛି ୩ ହଜାର ୬୦୦ କୋଟି ଟଙ୍କା । ଯାହାକି ୯ ହଜାର ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାରେ ଓଡ଼ିଶା ଶୀର୍ଷ ରାଜ୍ୟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ନିବେଶକଙ୍କ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥାନ କରିବା ପାଇଁ ତାଙ୍କ ସରକାରଙ୍କ ନିରନ୍ତର ଉଦ୍ୟମ ବର୍ତ୍ତମାନ ରୂପ ନେଉଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ 5T କାର୍ଯ୍ୟକ୍ରମ ପରେ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ସବୁବେଳେ ସମସ୍ୟା ମୁକ୍ତ ପରିବେଶ ଏବଂ ଏକ ତ୍ୱରିତ ବ୍ୟବସ୍ଥା ଯୋଗାଇବାକୁ ଚେଷ୍ଟା କରିଛୁ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଏକ ଉଲ୍ଲେଖନୀୟ ସଫଳତା ଥିଲା କାରଣ ଏହା ରାଜ୍ୟରେ ପ୍ରାୟ ଲକ୍ଷ ଚାକିରି ସୃଷ୍ଟି କରିପାରିବ । ଏହି ଅବସରରେ ସେ ସମସ୍ତ କମ୍ପାନୀ ଏବଂ ଓଡ଼ିଶାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ ସହଯୋଗର ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ସେମାନଙ୍କର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଏବଂ ଆମର ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହେବାକୁ ଉପସ୍ଥିତ ସମସ୍ତ ନିବେଶକଙ୍କୁ ନିବେଦନ କରିଥିଲେ ।