ମୋକିମଙ୍କ ଶକ୍ତି ପ୍ରଦର୍ଶନ । ସମାବେଶ କଲେ, ସାଥି ପାଇଲେନି । ବାପାଙ୍କ ମଞ୍ଚରେ ସୋଫିଆଙ୍କ ଲଢ଼େଇ ଆହ୍ବାନ । ମାର୍ଚ୍ଚରେ ନୂଆ ଦଳ ଗଠନ ପାଇଁ ପଡ଼ିଲା ମୂଳଦୂଆ । ମୋ ଓଡ଼ିଶା, ମୋ ଦାୟିତ୍ବ । ଫେରିବ ଗୌରବ, ଦରକାର ଆଉ ଏକ ବିପ୍ଳବ । ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ଯୁବ ସମାବେଶ ମଞ୍ଚରେ ଏପରି ସ୍ଲୋଗାନ ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ହୋଇଥିବା ନେତା ମହମ୍ମଦ ମୋକିମ। ଆଉ ଏବେ ନୂଆ ଆଞ୍ଚଳିକ ଦଳ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି। ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରି ମୋକିମ ଓଡ଼ିଶାରେ ବିକଳ୍ପ ରାଜନୈତିକ ଦଳର ମୂଳଦୂଆ ପକାଇଛନ୍ତି। ମୋକିମ ଯଦି ନୂଆ ଆଞ୍ଚଳିକ ଦଳ ଗଠନ କରନ୍ତି, ତାଙ୍କ ସହ କେଉଁ ନେତାମାନେ ସାମିଲ ହେବେ ? ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଯୁବ ସମାବେଶରେ କିନ୍ତୁ ସେପରି କିଛି ଦେଖିବାକୁ ମିଳିନି। ମୋକିମ କହିଛନ୍ତି, ଓଡ଼ିଶାରେ ବିପ୍ଳବର ଆବଶ୍ୟକତା ରହିଛି। ଏଥିଲାଗି ଏକାଠି ହେବେ ଯୁବ ଗୋଷ୍ଠୀ । ମାର୍ଚ୍ଚ ମାସରେ ସେ ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବୋଲି କହିଛନ୍ତି।
ମୋକିମ ଫାଉଣ୍ଡେସନର ଯୁବ ସମାବେଶରେ ସାମିଲ ହୋଇ ଝିଅ ସୋଫିଆ ଫିର୍ଦୋଷ ବାପାଙ୍କୁ ମଞ୍ଚରେ ଭୂରି ଭୂରି ପ୍ରଶଂସା କରିଛନ୍ତି। ସଫା ସଫା ସୋଫିଆ ଖୋଲାମଞ୍ଚରେ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ତେଣୁ ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡିବ ବୋଲି କହିଛନ୍ତି ସୋଫିଆ। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମୋତେ ବିଧାୟିକା କରିଛନ୍ତି। ତେଣୁ ଦେଶକୁ ଗଢିବା ପାଇଁ ଯୁବକଙ୍କୁ ଏକ ହେବାକୁ ପଡ଼ିବ ବୋଲି କହିଛନ୍ତି ସୋଫିଆ। ଯୁବ ସମାବେଶ ମଞ୍ଚରୁ ମହମ୍ମଦ ମୋକିମ ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇଥିବା କହି ବିଜେପିକୁ ଟାର୍ଗେଟ କରିଥିଲେ। ସେହିପରି ଆଗକୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ବିପ୍ଳବ ହେବ ବୋଲି ଯୁବ ସମାବେଶ ମଞ୍ଚରୁ ଆହ୍ବାନ ଦେଇଛନ୍ତି ମୋକିମ।

