ବ୍ୟାପକ ଭାବେ ପାଳନ ହେବ ବିଜେଡି ପ୍ରତିଷ୍ଠା ଉତ୍ସବ, ବୈଠକରେ ଚାଲିଛି ଖସଡ଼ା ପ୍ରସ୍ତୁତି

ଭୁବନେଶ୍ବର: ଡିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ । ଏହିଦିନକୁ ଧୂମଧାମରେ ପାଳନ କରିବାକୁ ଆଜି ବସୁଛି ଦଳର ପ୍ରସ୍ତୁତି ବୈଠକ । ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ହୋଇଥିବାରୁ ବ୍ୟାପକ ଭାବେ ଏହାକୁ ପାଳନ କରିବାକୁ ପ୍ରସ୍ତୁତି କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରଦେଶରୁ ଆରମ୍ଭ ହେବ ଅଭିଯାନ । ବର୍ଷେ ବ୍ୟାପୀ ପାଳନ କରାଯିବ ବିଜେଡିର ରୌପ୍ୟ ଜୟନ୍ତୀ । ଏଧିପାଇଁ ଚାଲିଛି ଖସଡ଼ା ପ୍ରସ୍ତୁତି ।

ପୁରୀରେ ବିଶାଳ ସମାବେଶ ହେବ । ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ତା’ପରେ 15 ଦିନ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିବା ପ୍ରସ୍ତୁତି ବୈଠକରେ ପ୍ରତିଷ୍ଠା ଦିବସ ସାରା ଓଡ଼ିଶାରେ ପାଳନ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି । ନିର୍ଦ୍ଧାରିତ ହୋଇଛି ବର୍ଷକର କାର୍ଯ୍ୟସୂଚୀ । ନିର୍ବାଚନ ସହ ଏହାର କିଛି ସମ୍ପର୍କ ନାହିଁ କି ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ ।

ନବୀନ ପଟ୍ଟନାୟକଙ୍କ ପରିକଳ୍ପନାକୁ ସବୁଠାରେ ପ୍ରତିଫଳିତ କରାଯାଉଛି । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଥିବା କହିଛନ୍ତି ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ସବୁବେଳେ ଆଗରେ ରହିଛି । କାହାକୁ କାଉଣ୍ଟର କରିବାକୁ ନୁହେଁ, ଲୋକଙ୍କ ସେବାରେ 25 ବର୍ଷ ଧରି ବିଜେଡି କାର୍ଯ୍ୟକ୍ରମ ଜାରି ରଖିଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ପୂରା ବର୍ଷେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜେଡି ପାଳିବ ପ୍ରତିଷ୍ଠା ଉତ୍ସବ । ବ୍ଲକରୁ ଜିଲ୍ଲାସ୍ତରରେ ପାଳନ କରାଯିବ ଉତ୍ସବ । ଏହି ସମୟ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିକାଶ ବିଜେଡିର ମନ୍ତ୍ର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର, ଗରିବଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ବାଟ ବାହାର କରିବା ଭଳି କାର୍ଯ୍ୟକ୍ରମ କରାଯିବ ।