‘ହ୍ୱାଟ୍ସ ଆପକୁ ବିକ୍ରି କରି ମୁଁ ଭୁଲ କରିଛି’

1 min read

ନୂଆଦିଲ୍ଲୀ: ଟ୍ୱିଟରର ବିକ୍ରି ଗତ କିଛି ଦିନ ଧରି ନିରନ୍ତର ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ଏହି ଚର୍ଚ୍ଚା ମଧ୍ୟରେ ହ୍ୱାଟ୍ସ ଆପ୍ ବିକ୍ରିକୁ ନେଇ ଆପର ପୂର୍ବତନ ମୁଖ୍ୟ ନୀରଜ ଆରୋରା ଦୁଃଖ ପ୍ରକାଶ କରିଛନ୍ତି । ୨୦୧୪ ରେ, ଫେସବୁକ୍ (ଯାହା ବର୍ତ୍ତମାନ ମେଟା ପାଲଟିଛି) ହ୍ୱାଟ୍ସ ଆପକୁ ୨୨ ବିଲିୟନ ଡଲାରରେ କିଣିଥିଲା । ନୀରଜ ଆରୋରା ସେ ସମୟରେ ହ୍ୱାଟ୍ସ ଆପ୍ କିଣିବାରେ ମାର୍କ ଜୁକରବର୍ଗଙ୍କୁ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଏଥିପାଇଁ ସେ ଦିଃଖିତ । ଯେତେବେଳେ ଫେସବୁକ ମଲ୍ଟି ଡଲାର ଡିଲରେ ହ୍ୱାଟ୍ସ ଆପ୍ କିଣିଲା, ସେତେବେଳେ ଆପ୍ ଲଞ୍ଚ ହେବାର ମାତ୍ର ୫ ବର୍ଷ ହୋଇଥିଲା । ଯଦିଓ ଆରୋରା ତିନି ବର୍ଷହେବ କମ୍ପାନୀ ସହିତ ଜଡିତ ଥିଲେ ।

ନୀରଜ ତାଙ୍କର ଅନେକ ଟ୍ୱିଟ୍‌ରେ ସେହି ସମୟର ପରିସ୍ଥିତି, ଡିଲ୍ ଏବଂ ଫେସବୁକ୍ ଦେଇଥିବା ପ୍ରତିଶୃତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ସମୟରେ ହ୍ୱାଟସ୍ ଆପର ସହ-ପ୍ରତିଷ୍ଠାତା ବ୍ରେନ୍ ଆକ୍ଟୋନଙ୍କୁ ଆପ୍ ବିକ୍ରି କରିବାକୁ ପଡ଼ିଥିଲା ସେ ସମୟରେ କମ୍ପାନୀର ଅବସ୍ଥା କ’ଣ ଥିଲା ? ଆରୋରା ଟ୍ୱିଟ୍‌ରେ ଲେଖିଛନ୍ତି, ‘୨୦୧୪ ମସିହାରେ ମୁଁ ହ୍ୱାଟସ୍ ଆପର ମୁଖ୍ୟ ବ୍ୟବସାୟ ଅଧିକାରୀ ଥିଲି ଏବଂ ମୁଁ ୨୨ ବିଲିୟନ ଡଲାରରେ ହ୍ୱାଟ୍ସଆପ ବିକ୍ରିକୁ ନେଇ ଫେସବୁକ୍ ସହିତ ବୁଝାମଣା କରିବାରେ ସାହାଯ୍ୟ କରିଥିଲି । ଆଜି ମୁଁ ଏଥିପାଇଁ ଦୁଃଖିତ।’

ଆରୋରାଙ୍କ ଅନୁଯାୟୀ, ଫେସବୁକ୍ ୨୦୧୨/୨୦୧୩ରେ ହ୍ୱାଟ୍ସ ଆପ୍ କିଣିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆପ୍ ସେମାନଙ୍କ ଅଫରକୁ ମନା କରିଦେଇଥିଲା । ତେବେ, ୨୦୧୪ ମସିହାରେ, ଫେସବୁକ୍ ପୁନର୍ବାର ହ୍ୱାଟ୍ସ ଆପ୍ କିଣିବାକୁ ପ୍ରସ୍ତାବ ଦେଇଥିଲା । ଏବଂ ସେତେବେଳେ ଏହି ଡିଲ୍ ଫାଇନାଲ ହୋଇଯାଇଥିଲା । କିନ୍ତୁ ଏହି ଡିଲ୍ ଫାଇନାଲ ବେଳେ ହ୍ୱାଟ୍ସ ଆପକୁ ନେଇ ଫେସବୁକ୍ କେତକ ପ୍ରତିଶୃତି ଦେଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ ।

ଅନ୍ୟପଟେ ହ୍ୱାଟ୍ସ ଆପର ପୂର୍ବତନ ମୁଖ୍ୟ ବ୍ୟବସାୟ ଅଧିକାରୀ କହିଛନ୍ତି ଯେ, ହ୍ୱାଟ୍ସଆପ୍ ଆଜି ଫେସବୁକର ଦ୍ୱିତୀୟ ବୃହତ୍ତମ ପ୍ଲାଟଫର୍ମ ହୋଇଯାଇଛି ଯାହା ଆମେ ଉପଭୋକ୍ତାମାନଙ୍କୁ ଦେବାକୁ ଚାହୁଁଥିଲୁ । ଫେସବୁକକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ‘ପ୍ରାରମ୍ଭରେ କେହି ଜାଣି ନଥିଲେ ଯେ ଫେସବୁକ ଏକ ଫ୍ରାଙ୍କେଷ୍ଟାଇନ୍ ମନଷ୍ଟର ହୋଇଯିବ ଯିଏ ଉପଭୋକ୍ତାମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ସର୍ବ ସାଧାରଣରେ ଲିକ୍ କରିବ । ତେବେ ନୀରଜ ଆରୋରା ବର୍ତ୍ତମାନ ହାଲୋ ଆପ୍ ର ସହ-ପ୍ରତିଷ୍ଠାତା ଅଟନ୍ତି ।