ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ନେଇ ପାକ୍ ସାମ୍ବାଦିକଙ୍କ ଟିପ୍ପଣୀ, ଦେଶରେ ଝଡ଼

1 min read

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଜଣେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କ ଖୁଲାସା ପରେ ଭାରତରେ ଝଡ଼ ସୃଷ୍ଟି ହୋଇଛି । ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଆସି ସାମ୍ବାଦିକ ନୁସରତ ମିର୍ଜା  ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ତତ୍କାଳୀନ ଉପ ରାଷ୍ଟ୍ରପତି ହମିଦ ଅନସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଯାଇଥିଲେ ।

ସେ ସମୟରେ ତାଙ୍କୁ ଭାରତରେ ଅନେକ ସମ୍ବେଦନଶୀଳ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସବୁ ଗୁଇନ୍ଦା ସୂଚନାକୁ ସେ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇକୁ ହସ୍ତାନ୍ତର କରିଥିବା କଥା ସ୍ୱୀକାର କରିଛନ୍ତି  । ମିର୍ଜାଙ୍କ ଏହି ଦାବି ପରେ ସାମାଜିକ ଗଣମାଧ୍ୟମରେ ହଙ୍ଗାମା ସୃଷ୍ଟି ହୋଇଛି ।

ଟ୍ୱିଟରରେ ଭାରତୀୟ ୟୁଜରମାନେ ହମିଦ ଅନସାରୀ ଏବଂ ଜଫରୁଲ ଇସ୍ଲାମଙ୍କୁ ଭର୍ସନା କରୁଛନ୍ତି । ତେବେ ଏହି ଘଟଣା ୨୦୧୧ ମସିହାର ଘଟିଥିଲା । ସେ ମସୟରେ କଂଗ୍ରେସ ସରକାର ଅର୍ଥାତ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ । ଟ୍ୱିଟରରେ ବିଜେପି ନେତା ଓ ଅନ୍ୟମାନେ ଏହି ସାକ୍ଷାତକାରର ଭିଡିଓ ଟ୍ୱିଟ କରି କଂଗ୍ରେସ ଦଳ ଏବଂ ହମିଦ ଅନସାରୀଙ୍କୁ ଦେଶଦ୍ରୋହୀ କହିଛନ୍ତି । ଉପରାଷ୍ଟ୍ରପତି ରହିଥିଲେ ମଧ୍ୟ କିପରି ଭାବେ ଭାରତର ସୁରକ୍ଷା ସହ ଅଂସାରୀ ସାଲିସ କଲେ ବୋଲି ପ୍ରଶ୍ନ କରାଯାଇଛି ।

ଭାରତୀୟ ଗୁଇନ୍ଦା ବିଭାଗ RAWର ପୂର୍ବତନ ଅଧିକାରୀ ଏନକେ ସୁଦ ହମିଦ ଅନସାରୀଙ୍କ ବିରୋଧରେ ଲଗାଇଥିବା ଅଭିଯୋଗକୁ ଏବେ ମନେପକାଇଛନ୍ତି ଲୋକମାନେ । ୨୦୧୯ର ଏକ ଟ୍ୱିଟକୁ ୟୁଜରମାନେ ରିଟ୍ୱିଟ କରୁଛନ୍ତି  । ୨୦୧୯ରେ ଏନକେ ସୁଦ ଏକ ଟ୍ୱିଟ କରି କହିଥିଲେ, ମୁଁ ଇରାନର ରାଜଧାନୀ ତେହରାନରେ ରହିବା ସମୟରେ ହମିଦ ଅନସାରୀ ରାଷ୍ଟ୍ରଦୂତ ଭାବେ ତେହରାନର ଥିଲେ । ସେ ସମୟରେ ଅଂସାରୀ RAW ସେଟଅପ ସମ୍ପର୍କରେ ଖୁଲାସା କରି ର’ ୟୁନିଟ ସଦସ୍ୟଙ୍କ ଜୀବନ ବିପଦରେ ପକାଇଥିଲେ । ଏଭଳି ଲୋକଙ୍କୁ ଆମ ଦେଶରେ ଦୁଇ ଦୁଇ ଥର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଗଲା । ଏହି ଟ୍ୱିଟକୁ ଆଜି ପୁଣିଥରେ ବିଜେପିର ସଂକ୍ରାନ୍ତ ସାନୁ ରିଟ୍ୱିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି  ।