ଅଣାନବେ ବର୍ଷରେ ଆଖି ବୁଜିଲେ କଲ୍ୟାଣ ସିଂହ, ରାମ ମନ୍ଦିର ଆନ୍ଦୋଳନର ଥିଲେ ପୁରୋଧା

ଲକ୍ଷ୍ନୌ: ଆଉ ନାହାଁନ୍ତି ରାମ ମନ୍ଦିର ନିର୍ମାଣର ପୁରୋଧା  । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂହ  ଆଜି ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଏହି ଜନନେତାଙ୍କର ଆଜି ଏସଜିପିଜିଆଇ ହସ୍ପିଟାଲରେ ଦେହାନ୍ତ ଘଟିଛି  ।  ଜୁଲାଇ ୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ପରବର୍ତ୍ତୀ ସମୟରେ ସୁଧାର ଆସୁଥିବା ନେଇ ପ୍ରକାଶ କରିଥିଲେ ଚିକିତ୍ସା କରୁଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ  । କିନ୍ତୁ ଶେଷରେ ଅଣାନବେ ବର୍ଷ ବୟସରେ ଆଖି ବୁଜିଛନ୍ତି ପ୍ରଖର ହିନ୍ଦୁ ନେତା, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ  ।

କଲ୍ୟାଣ ସିଂହ ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ଯେଉଁ ସମୟରେ ବାବ୍ରୀ ମସଜିଦ ଭଙ୍ଗାକୁ ନେଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା  । ସେହି ସମୟର ଆନ୍ଦୋଳନର ଶୀର୍ଷ ନେତୃତ୍ୱ ତୁଲାଉଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ  । ୧୯୩୨ ମସିହା ଜାନୁୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଅତରୌଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ କଲ୍ୟାଣ ସିଂହ  । ପିତା ତେଜପାଲ ସିଂହ ଏବଂ ମାତା ସୀତା ଦେବୀଙ୍କ ଔରସରୁ ଜନ୍ମିତ କଲ୍ୟାଣ ପାଠପଢା ସହ ସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ  । ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ  ।

ପ୍ରଭୁ ଶ୍ରୀରାମଙ୍କୁ ଜୀବନର ଆଦର୍ଶ ଭାବେ ମାନିନେଇଥିବା କଲ୍ୟାଣ ସିଂହ ରାଜନୀତିରେ ମଧ୍ୟ ପ୍ରଚଣ୍ଡ ପ୍ରତିଭା ପ୍ରକାଶ କରିଥିଲେ  । ରାମମନ୍ଦିର ନିର୍ମାଣକୁ ନେଇ ସେସୟରେ ଆନ୍ଦୋଳ ଚଳାଇବା ସହ ବାବ୍ରୀ ମସଜିଦକୁ ଧ୍ୱସଂ କରିବାରେ ମଧ୍ୟ ତାଙ୍କର ଭୂମିକା ଥିବା ନେଇ ଅଭିଯୋଗ ହୋଇଥିଲା  । ପରବର୍ତ୍ତୀ ସମୟରେ ଏଥିପାଇଁ ୧୯୯୨ ମସିହାରେ କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦିଅନ୍ତି  । ପରେ ସମୟରେ ୧୯୯୭ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରନ୍ତି  । ଜୀବନକାଳରେ କଲ୍ୟାଣ ସିଂହ ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି  ।

କଲ୍ୟାଣ ସିଂହଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ରାଜନୈତିକ ପୃଷ୍ଠ ଭୂମିକୁ ଉଲ୍ଲେଖ କରିଛନ୍ତି  । ରାଜ ମନ୍ଦିର ଆନ୍ଦୋଳନ କଥା ଉଲ୍ଲେଖ କରିବା ସହ କଲ୍ୟାଣ ସିଂହ ଜଣେ ଉଚ୍ଚ ଆଦର୍ଶବାନ ବ୍ୟକ୍ତି ଏବଂ ଜଣେ ଜନନେତା ଥିଲେ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତା ମଧ୍ୟ ଶ୍ରଦ୍ଧା ସୁମନ କ୍ଷାପନ କରିଛନ୍ତି  । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲ ଯାଇ କଲ୍ୟାଣ ସିିଂହଙ୍କ ଶେଷ ଦର୍ଶନ କରିଛନ୍ତି  ।

 

Leave a Reply