ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ,ଲାଲୁ କହିଲେ-ମୁଁ ନିଶବ୍ଦ,ଦୁଃଖୀ

1 min read

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି । ଆଜି ଦିଲ୍ଲୀର ଏମସ(AIIMS)ରେ ତାଙ୍କର ଦେହାନ୍ତ ହୋଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ନିକଟତମ ରଘୁବଂଶ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ରଘୁବଂଶ ବାବୁ ନାମରେ ବିହାର ରାଜନୀତିରେ ପରିଚିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ କିଛି ଦିନ ତଳେ ଏମସରେ ଭର୍ତ୍ତି କରାଯାଇଥିଲା ।

ନିଶ୍ୱାସ ନେବାରେ ଥିଲା ସମସ୍ୟା
ଗତ କିଛି ଦିନ ଧରି ରଘୁବଂଶଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ଥିଲା । କୁହାଯାଉଛି ଯେ, ନିଶ୍ୱାସ ନେବାରେ ସମସ୍ୟା ଥିଲା । ଆଇସିୟୁରେ ଭର୍ତ୍ତି ଥିବା ରଘୁବଂଶଙ୍କ ନୀରିକ୍ଷଣ ୪ ଜଣ ଡାକ୍ତର କରୁଥିଲେ । ଅଗଷ୍ଟ ୪ ତାରିଖରୁ ରଘୁବଂଶ ଏମସରେ ଭର୍ତ୍ତି ହୋଇଥିଲେ । ଗତ ୪ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।

ଆରଜେଡିରୁ ଦେଇଥିଲେ ଇସ୍ତଫା
ସୂଚନାଯୋଗ୍ୟ ଯେ, ନିକଟରେ ରଘୁବଂଶ ରାଷ୍ଟ୍ରିୟ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏକ ସାଧାରଣ କାଗଜରେ ହସ୍ପିଟାଲ ବେଡରୁ ନିଜ ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିବା ଇସ୍ତଫା ପତ୍ରରେ ସେ ଗତ ୩୨ ବର୍ଷ ଧରି ତାଙ୍କ ଅନୂସରଣ କରୁଥିଲେ କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଉ ସମ୍ଭବ ନୁହେଁ ବୋଲି ଲେଖିଥିଲେ ।

ରଘୁବଂଶଙ୍କ ଦେହାନ୍ତ ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରିୟ ରଘୁବଂଶ ବାବୁ ଇଏ କ’ଣ କଲେ,ପ’ରଦିନ ହିଁ ତ’ ମୁଁ ଆପଣଙ୍କୁ କହିଥିଲି-ଆପଣ କୁଆଡେ ଯାଉନାହାନ୍ତି,ଏବେ ଆପଣ ଏତେ ଦୂର ଚାଲିଗଲେ । ମୁଁ ନିଶବ୍ଦ,ଦୁଃଖୀ । ବହୁତ ମନେ ପଡିବେ ।

Leave a Reply