spot_img

Latest Posts

ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ଦେହାନ୍ତ ହୋଇଛି। ସେ ଆଜି ଦିଲ୍ଲୀରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଟା ସିଂହ ଶିଖ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବୁଟା ସିଂହ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଦିଲ୍ଲୀରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି  କହିଛନ୍ତି, ‘ବୁଟା ସିଂହ ଜୀ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବି ନେତା ଥିଲେ। ବୁଟା ସିଂହ ସେମାନଙ୍କ ସ୍ୱର ଥିଲେ।’ ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ‘ସରଦାର ବୁଟା ସିଂହଙ୍କ ଦେହାନ୍ତ ଯୋଗୁଁ ଆଜି ପୁରା ଦେଶ ଜଣେ ସଚ୍ଚୋଟ ଜନସେବକ ଏବଂ ନିଷ୍ଠାପର ନେତାଙ୍କୁ ହରାଇଛି। ବୁଟା ସିଂହ ତାଙ୍କ ସମଗ୍ର ଜୀବନ ଦେଶ ସେବା ଏବଂ ଲୋକ କଲ୍ୟାଣରେ ସମର୍ପିତ କରିଥିଲେ, ଏଥିପାଇଁ ସେ ଚୀରସ୍ମରଣୀୟ ରହିବେ।’

ଆଠ ଥର ସାଂସଦ ବୁଟା ସିଂହ ରାଜନୀତିର ଏକ ବଡ଼ ଚେହେରା ଥିଲେ। ୧୯୩୪ରେ ଜଲନ୍ଧରରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ବୁଟା ସିଂହ କେନ୍ଦ୍ର ଗୃହମନ୍ତ୍ରୀ(୧୯୮୬-୧୯୮୯), କୃଷି ମନ୍ତ୍ରୀ(୧୯୮୪-୧୯୮୬), ରେଳମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ତଥା ବିହାରର ରାଜ୍ୟପାଳ(୨୦୦୪-୨୦୦୬) ଓ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ(୨୦୦୭-୨୦୧୦) ଭାବରେ ଜାତୀୟ ରାଜନୀତିରେ ତଥା ରାଷ୍ଟ୍ର ନିର୍ମାଣରେ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ୧୯୭୮ରୁ ୮୦ ପର୍ଯ୍ୟନ୍ତ କଂଗ୍ରେସର ମହାସଚିବ ଥିଲେ। ସ୍ୱର୍ଗତଃ ଜବାହାର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ବୁଟା ସିଂହ କଂଗ୍ରେସରେ ସାମିଲ ହୋଇଥିଲେ।’

Latest Posts

Don't Miss