ବାଣୀବିହାର ଅଣଛାତ୍ର ଉଚ୍ଛେଦ: ଗତକାଲି ଆକ୍ସନ ପରେ ଆଜି ରିଆକ୍ସନ

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଅଣଛାତ୍ରଙ୍କ ଦଖଲରେ ଥିବା ହଷ୍ଟେଲ ଖାଲି ପାଇଁ ପ୍ରଶାସନର ଆକ୍ସନ ପରେ ଆଜି ବାଣୀବିହାର ପରିସରରେ ଦେଖିବାକୁ ମିଳିଛି ରିଆକ୍ସନ । କୁଳପତିଙ୍କୁ ଘେରିଛନ୍ତି ପୁରାତନ ଛାତ୍ର । ହଷ୍ଟେଲ ଜବରଦଖଲ ମୁକ୍ତ ହେଲା, ଷ୍ଟାଫ କ୍ବାର୍ଟର୍ସ କେବେ ଜବରଦଖଲ ମୁକ୍ତ ହେବ ବୋଲି ପ୍ରଶ୍ନ କରିଛନ୍ତି ପୁରାତନ ଛାତ୍ର । ଏହାସହ ବାଣୀବିହାର ପରିସରରେ ଥିବା ବେଆଇନ ବସ୍ତି କେବେ ହଟିବ ବୋଲି ପ୍ରଶ୍ନ କରି କୁଳପତି ଓ ବିଶ୍ବବଦ୍ୟାଳୟ ପ୍ରଶାସନକୁ ଘେରିଛନ୍ତି ପୁରାତନ ଛାତ୍ର । କିଛି ସମୟ ପାଇଁ କୁଳପତିଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉଭୟ ପକ୍ଷର ଆଲୋଚନା ପରେ କ୍ୟାମ୍ପସ ଶାନ୍ତ ପଡ଼ିଛି ।
କାଲି ଆକ୍ସନ ଆଜି ରିଆକ୍ସନ । ବାଣୀବିହାର ପରିସରରେ ହଷ୍ଟେଲ ଜବରଦଖଲ ମୁକ୍ତ ପରେ ଏବେ ଷ୍ଟାଫ କ୍ବାର୍ଟର୍ସ ଉପରେ ନଜର । ପୁରାତନ ଛାତ୍ରମାନେ କୁଳପତିଙ୍କୁ ଘେରିବା ସହ ପ୍ରଶ୍ନବାଣରେ କଲେ ଘାଇଲା । ପୁରାତନ ଛାତ୍ର ଓ ବିଶ୍ବବିଦ୍ୟାଳୟ ପ୍ରଶାସନ ହୋଇଛନ୍ତି ମୁହାଁମୁହିଁ । ହଷ୍ଟେଲ ଅଣଛାତ୍ର ମୁକ୍ତ ହେବା ପରେ ପୁରାତନ ଛାତ୍ରମାନେ ଅସାମାଜିକଙ୍କ କବଜାରେ ଥିବା ଷ୍ଟାଫ କ୍ବାର୍ଟର୍ସ ତୁରନ୍ତ ଖାଲି କରିବାକୁ ଦାବି କରିଛନ୍ତି । ଏହାସହ ଦୀର୍ଘ ଦିନ ଧରି ବିଶ୍ବବିଦ୍ୟାଳୟ ପରିସରରେ ଗଢି ଉଠିଥିବା ବସ୍ତିଗୁଡ଼ିକ କେବେ ହଟିବ ବୋଲି ପୁରାତନ ଛାତ୍ରମାନେ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ପୁରାତନ ଛାତ୍ରମାନେ କୁଳପତିଙ୍କୁ ଘେରିବା ସହ ବିଶ୍ବିବିଦ୍ୟାଳୟ ପରିସରରେ ଶୈକ୍ଷିକ ପରିବେଶ ଫେରାଇ ଆଣିବାକୁ ଦାବି କରିଛନ୍ତି ।
ଦୀର୍ଘଦିନ ଧରି ବାଣୀବିହାର ଛାତ୍ରାବାସ ଥିଲା ଅଣଛାତ୍ରଙ୍କ କବଜାରେ । ହଷ୍ଟେଲ ପାଇବାକୁ ଯୋଗ୍ୟ ଛାତ୍ରମାନେ ରୁମ୍ ନପାଇ ଭଡ଼ାରେ ରହୁଥିଲେ । ପ୍ରାୟ ୨ଶହରୁ ଅଧିକ ରୁମକୁ କାଲି ପୋଲିସ ଉପସ୍ଥିତିରେ ବିଶ୍ବବିଦ୍ୟାଳୟ ପ୍ରଶାସନ ଖାଲି କରିଥିଲା । ଏବେ ୪୭୫ ଛାତ୍ର ହଷ୍ଟେଲ ପାଇବାକୁ ଅପେକ୍ଷା କରିଥିବା ବେଳେ ୧୫ ଦିନ ମଧ୍ୟରେ ସମସ୍ତଙ୍କୁ ହଷ୍ଟେଲ ମିଳିବ ବୋଲି କୁଳପତି କହିଛନ୍ତି । ଜବରଦଖଲ ହୋଇଥିବା ଷ୍ଟାଫ କ୍ବାର୍ଟର୍ସଗୁଡ଼ିକୁ ଖାଲି କରିବାକୁ ନୋଟିସ ଜାରି ହୋଇଥିବା ବେଳେ ୨ରୁ ୩ ଦିନ ମଧ୍ୟରେ ସେଗୁଡିକୁ ଖାଲି କରାଯିବ । ବସ୍ତି ହଟାଇବା ପାଇଁ ବିଏମସି ସହ କଥାବାର୍ତ୍ତା ଚାଲିଛି । ପରିସରରେ ଶିକ୍ଷାର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି ବୋଲି କୁଳପତି ଯଞ୍ଜେଶ୍ବର ଦଣ୍ଡାପାଟ ଆଶ୍ବସନା ଦେଇଛନ୍ତି ।
ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏଥିରେ ଅଣଛାତ୍ର ଜବରଦସ୍ତ ରହୁଥିଲେ । ଏବେ ଏହାକୁ ମୁକ୍ତ କରାଯାଇଛି ଓ ଶୀଘ୍ର ଯୋଗ୍ୟ ଛାତ୍ରଙ୍କୁ ରୁମ୍ ମିଳିବ । ଜବରଦଖଲ ହୋଇଥିବା ଷ୍ଟାଫ କ୍ବାର୍ଟର୍ସକୁ ଖାଲି କରିବା ସହ ବସ୍ତି ହଟାଇବା ଦିଗରେ ବି ସକରାତ୍ମକ ଆଲୋଚନା ହୋଇଛି । ଲାଗୁଛି ଖୁବ ଶୀଘ୍ର ବାଣୀବିହାର ସମସ୍ୟାର ସମାଧାନ ହୋଇଯିବ ।